ନ୍ୟୁଜ ଡେକ୍ସ : ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ଆଜି ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ।୧୩ ଜୁନ୍ ୧୯୫୧ରେ ଜନ୍ମଗ୍ରହଣ କରିଥିବା ରବି ସ୍ୱାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଓଲିଉଡ଼ରେ ସେ ଅନେକ ସଫଳ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ।
ତାଙ୍କ ପ୍ରଯୋଜିତ ଲୋକପ୍ରିୟ ସିନେମାମାନଙ୍କ ମଧ୍ୟରେ ଜୋରଜାର ମୁଲକ ତାର, କି ହେବ ଶୁଆ ପୋଷିଲେ, ପଞ୍ଜୁରୀ ଭିତରେ ଶାରୀ ଏବଂ ଉଦଣ୍ଡୀ ସୀତା ଭଳି ଚଳଚ୍ଚିତ୍ର ରହିଛି।ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ସହଯୋଗୀ କଳାକାର, ନିର୍ମାତା ଓ ଭକ୍ତମାନେ ତାଙ୍କ ଅବଦାନକୁ ସ୍ମରଣ କରୁଛନ୍ତି।
ରବି ସ୍ୱାଇଁ କେବଳ ଜଣେ ସଫଳ ପ୍ରଯୋଜକ ନୁହେଁ, ସେ ଜଣେ ଦୂରଦର୍ଶୀ ଶିକ୍ଷାବିତ୍ ଭାବେ ମଧ୍ୟ ପରିଚିତ ଥିଲେ। ସେ କ୍ଷେତ୍ରମୋହନ ମେମୋରିଆଲ୍ ଟ୍ରଷ୍ଟ୍ର ପ୍ରତିଷ୍ଠାତା ଥିଲେ ଏବଂ ଓମ୍ ଶାନ୍ତି +୨ ସାଇନ୍ସ କଲେଜ, କ୍ଷେତ୍ରମୋହନ ITC ଓ ଦୈତାରୀ ITC ପରି ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପିପିଲି ଓ ଆସପାସ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ନେଇଥିଲେ।

