Sat. May 2nd, 2026

ନ୍ୟୁଜ ଡେକ୍ସ : ଉତ୍ତରପ୍ରଦେଶରେ ଯୋଗୀ ସରକାର ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଗଙ୍ଗା ଏକ୍ସପ୍ରେସୱେରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ କୌଣସି ଟୋଲ ଟ୍ୟାକ୍ସ ଆଦାୟ କରାଯିବ ନାହିଁ। ମଇ ମାସର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଏହି ରାସ୍ତା ଟୋଲ ଫ୍ରି ରହିବ ବୋଲି ସରକାର ପକ୍ଷରୁ ସୂଚନା ମିଳିଛି।୨୯ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଠରୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସୱେର ଉଦ୍ଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଉଦ୍ୟୋଗିକ ବିକାଶ ପ୍ରାଧିକରଣକୁ ଟୋଲ ଆଦାୟ ନ କରିବା ପାଇଁ ଆଦେଶ ଜାରି କରାଯାଇଛି। ୧୫ ଦିନ ପରେ ପୁଣି ସାଧାରଣ ଭାବେ ଟୋଲ ଆଦାୟ ଆରମ୍ଭ ହେବ।ଗଙ୍ଗା ଏକ୍ସପ୍ରେସୱେକୁ ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ଭାବେ ଗଣାଯାଉଛି। ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ଏହାର ଲମ୍ବ ୫୯୪ କିଲୋମିଟର। ପ୍ରାୟ ୩୬,୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଛଅ ଲେନ ବିଶିଷ୍ଟ ରାସ୍ତାକୁ ଆଗାମୀ ଦିନରେ ୮ ଲେନରେ ବିସ୍ତାର କରାଯିବାର ସୁଯୋଗ ରହିଛି।

ଏହି ଏକ୍ସପ୍ରେସୱେ ମେରଠ, ହାପୁଡ, ବୁଲନ୍ଦଶହର, ଅମରୋହା, ସମ୍ଭଲ, ବଦାୟୁ, ଶାହଜାହାଁପୁର, ହରଦୋଇ, ଉନ୍ନାଓ, ରାୟବରେଲୀ, ପ୍ରତାପଗଡ଼ ଓ ପ୍ରୟାଗରାଜ ସହିତ ମୋଟ ୧୨ଟି ଜିଲ୍ଲାକୁ ସଂଯୋଗ କରୁଛି। ଏହା ଯାତାୟାତ ସୁବିଧା ବୃଦ୍ଧି ସହିତ ଅର୍ଥନୈତିକ ଉନ୍ନତିକୁ ଆହୁରି ତେଜ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *