Sat. May 2nd, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଏବଂ ମଗ୍ରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୫ଟି ବୁଥରେ ଆଜି ପୁନଃ ମତଦାନ ହେଉଛି। ଭୋଟ ପ୍ରକ୍ରିୟାରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସମସ୍ତ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦକ୍ଷିଣ ୨୪ ପରଗନା ଜିଲ୍ଲାର ଡାଇମଣ୍ଡ ହାର୍ବର ବିଧାନସଭା ଅଞ୍ଚଳରେ ପୁନଃ ମତଦାନ ସମୟରେ ଏକ ମାନବିକ ଦୃଶ୍ୟ ଦେଖିବାକୁ ମିଳିଛି। ବାଗଡ଼ା ଜୁନିଅର ହାଇସ୍କୁଲର ବୁଥ ନମ୍ବର ୧୧୭ରେ ଜଣେ ସିଆରପିଏଫ ଯବାନ ବାଡ଼ି ସାହାଯ୍ୟରେ ଚାଲୁଥିବା ଜଣେ ଭୋଟରଙ୍କୁ ସୁରକ୍ଷିତ ଭାବରେ ଭୋଟ କେନ୍ଦ୍ରକୁ ନେଇଥିଲେ, ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା।ଅନ୍ୟପଟେ ହରିଦେବପୁର ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥିତ ବୁଥ ନମ୍ବର ୧୯୪ରେ ସକାଳଠାରୁ ଭୋଟରଙ୍କ ଲମ୍ବା ଧାଡ଼ି ଦେଖାଯାଇଛି। ଲୋକମାନେ ଧୈର୍ଯ୍ୟର ସହିତ ନିଜର ପାଳିକୁ ଅପେକ୍ଷା କରି ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଦେଉଛନ୍ତି।ପୁନଃ ମତଦାନ ପୂର୍ବରୁ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା।

ପ୍ରତ୍ୟେକ ବୁଥରେ ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସହ ଯେକୌଣସି ବିଭ୍ରାଟକୁ ରୋକିବା ପାଇଁ ପ୍ରଶାସନ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଛି। ଏହି ପୁନଃ ମତଦାନରେ ମଗ୍ରାହାଟ ପଶ୍ଚିମର ୧୧ଟି ବୁଥ ଏବଂ ଡାଇମଣ୍ଡ ହାର୍ବରର ୪ଟି ବୁଥ ସାମିଲ ଅଛି। ସମସ୍ତ ବୁଥରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ପ୍ରକ୍ରିୟା ଚାଲିଥିବାବେଳେ ଭୋଟରମାନଙ୍କ ଉତ୍ସାହ ସ୍ପଷ୍ଟ ଭାବରେ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *