ନ୍ୟୁଜ ଡେକ୍ସ : ଦିନକୁ ଦିନ ଅଣାୟତ ହେଉଛି ତାତି। ମେ ମାସ ଆସିବା ପୂର୍ବରୁହିଁ ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ଗରମ ଓ ଗୁଳିଗୁଳି। ସକାଳ ୮ଟାରୁ ହିଁ ଟାଣ ଖରା ଅନୁଭୂତ ହେଉଥିବାବେଳେ ଦିନ ଯେତେ ବଢୁଛି, ତାତି ତେତେ ବଢୁଛି। ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଅବିରତ ବୃଦ୍ଧି ପାଉଛି। ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହେଉଛି।
ପ୍ରଚଳିତ ପାଗ ଢାଞ୍ଚାର ପ୍ରଭାବରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବାବେଳେ ଗ୍ରୀଷ୍ମ ଋତୁର ତାପ ଏବେ ବେଶି ଅନୁଭୂତ ହେଉଛି। ତାତିରେ ରାସ୍ତାଘାଟ ପ୍ରାୟ ଶୂନ୍ୟ ହୋଇପଡ଼ିଥିବାବେଳେ ଲୋକମାନେ ଠଣ୍ଡା ପାଣି ଓ ଛାୟା ପାଇଁ ଆଉଟୁପାଉଟୁ ହେଉଛନ୍ତି।ଅନ୍ୟପଟେ, ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଅଂଶୁଘାତର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ହୋଇଛନ୍ତି।
ସହରର ବିଭିନ୍ନ ଛକରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ଏହାସହିତ ଦିନବେଳେ ଶ୍ରମିକମାନଙ୍କୁ କାମ କରାଇବାରେ ନିଷେଧ ଜାରି ହୋଇଛି। କୌଣସି ଠିକାଦାର ଏହି ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରିଛି।

