ନ୍ୟୁଜ ଡେକ୍ସ : ରାଜ୍ୟରେ ଦକ୍ଷିଣ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ୟାପକ ବର୍ଷା ହୋଇନାହିଁ। ଅନେକ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଥିବାରୁ ଲୋକେ ଅସ୍ୱସ୍ଥ ଅନୁଭବ କରୁଛନ୍ତି। ତେବେ ଆସନ୍ତା ଏକରୁ ଦୁଇ ଦିନ ମଧ୍ୟରେ ପାଗରେ ବଡ଼ ପରିବର୍ତ୍ତନ ଆସିବା ସହ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ଆସନ୍ତା ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିବ।
ଏହାର ପ୍ରଭାବରେ ଦିନର ତାପମାତ୍ରା କମିବ ଏବଂ ଗରମରୁ ଆଶ୍ୱସ୍ତି ମିଳିବ। ତେବେ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହୋଇପାରେ।ପୂର୍ବାନୁମାନ ଅନୁଯାୟୀ, ଜୁନ ୩୦ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଜୁଲାଇ ୨ ବେଳକୁ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଜୁଲାଇ ୨ରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୫୨ ପ୍ରତିଶତ ବର୍ଷାର ଅଭାବ ରହିଛି।
୧୮୧ ଦଶମିକ ୬ ମିଲିମିଟର ବର୍ଷା ହେବା କଥା ଥିବାବେଳେ ମାତ୍ର ୮୭ ମିଲିମିଟର ବର୍ଷା ହୋଇଛି। ୧୧ଟି ଜିଲ୍ଲାରେ ୬୦ରୁ ୭୬ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ନିଅଣ୍ଟ ରହିଥିବାବେଳେ ଅନ୍ୟ ୧୭ଟି ଜିଲ୍ଲାରେ ମଧ୍ୟ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଛି।ପାଣିପାଗ ବିଭାଗ କହିଛି, ୩୦ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଆସନ୍ତା ଦୁଇ ଦିନ ହାଲୁକାରୁ ମଧ୍ୟମ ବର୍ଷା ଏବଂ ପରେ ଅଧିକାଂଶ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇପାରେ। ଏହା ଗରମରୁ ଆଶ୍ୱସ୍ତି ଦେବା ସହ ଧାନ ଚାଷ ଓ ଅନ୍ୟାନ୍ୟ କୃଷି କାର୍ଯ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

