ନ୍ୟୁଜ ଡେକ୍ସ : ଅନ୍ତର୍ଜାତୀୟ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳାମାନଙ୍କ ପାଇଁ ବଡ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ମହିଳାମାନେ କେବଳ ସଶକ୍ତ କିମ୍ବା ଉଦ୍ୟୋଗୀ ହେବେ ନାହିଁ, ବରଂ ନିଜେ ଚାକିରି ନ ଖୋଜି ଅନ୍ୟମାନଙ୍କୁ ଚାକିରି ଦେବା ଭଳି ସ୍ଥିତିକୁ ପହଞ୍ଚିବେ।ଓଡ଼ିଶାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସୁଦୃଢ଼ କରିବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଏବଂ ମହିଳା ଉଦ୍ୟମିତା ମଞ୍ଚରେ ଯୋଗଦେଇ ସେ ଏହି କଥା କହିଛନ୍ତି।
ନୀତି ଆୟୋଗ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ଦକ୍ଷତା ବିକାଶ ଓ ବ୍ୟବସାୟିକ ସହାୟତା ପ୍ରଦାନ କରାଯିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ଅନେକ ନୂଆ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରରେ ଏକ ବୃହତ ଧାନ ମିଲିଂ ସମୂହର ଶୁଭାରମ୍ଭ ହୋଇଥିବାବେଳେ ଏଥିରୁ ଉତ୍ପାଦିତ ଚାଉଳ କୁଣ୍ଡା ତେଲ ଦ୍ୱାରା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ହଜାର ହଜାର ଚାଷୀ ଉପକୃତ ହେବେ।
ସେହିପରି ପାହାଳ ରସଗୋଲାକୁ ସ୍ୱତନ୍ତ୍ର ସମୂହ ମାଧ୍ୟମରେ ବିକଶିତ କରିବା ପାଇଁ ଶିଳାନ୍ୟାସ କରାଯାଇଛି। ଏହା ସହ ଗଞ୍ଜାମର ବରପାଲି ଏବଂ କଳାହାଣ୍ଡିର କେସିଙ୍ଗାରେ ଦୁଇଟି ନୂଆ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାର୍କର ଉଦ୍ଘାଟନ କରାଯାଇଛି।ରାଜ୍ୟକୁ ଦେଶର ଶ୍ରେଷ୍ଠ ପାଞ୍ଚଟି ଆର୍ଥିକ ସମୃଦ୍ଧ ରାଜ୍ୟ ମଧ୍ୟରେ ସ୍ଥାନ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

