Wed. Apr 29th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ୭ଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି। ସୁଚାରୁ ଏବଂ ଶାନ୍ତିପୂର୍ଣ୍ଣ ଭୋଟିଂ ପାଇଁ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ଏହି ପର୍ଯ୍ୟାୟରେ ଭବାନୀପୁର ସହ ଅନେକ ହାଇ ପ୍ରୋଫାଇଲ ଆସନରେ ଭୋଟ ହେଉଛି।

ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଅଧିକାରୀ ନନ୍ଦିଗ୍ରାମରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଏହି ୧୪୨ ଆସନରୁ ଅଧିକାଂଶରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସିର ପ୍ରଭାବ ରହିଛି।ଶେଷ ପର୍ଯ୍ୟାୟରେ ମୋଟ ୩,୨୧,୭୩,୮୩୭ ଭୋଟର ମତଦାନ ପାଇଁ ଯୋଗ୍ୟ ଅଟନ୍ତି। ସେମାନଙ୍କ ମଧ୍ୟରୁ ୧,୬୪,୩୫,୬୨୭ ପୁରୁଷ, ୧,୫୭,୩୭,୪୧୮ ମହିଳା ଏବଂ ୭୯୨ କିନ୍ନର ଭୋଟର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୯୩.୧୯ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବାରୁ ଏଥର ମଧ୍ୟ ଉଚ୍ଚ ମତଦାନ ଆଶା କରାଯାଉଛି। ଏପରି ସ୍ଥିତିରେ ଟିଏମ୍‌ସି ଲଗାତାର ଚତୁର୍ଥଥର ପାଇଁ ଶାସନରେ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ଏଥର ଶାସନ ଦଖଲ କରିବା ପାଇଁ ପୂର୍ଣ୍ଣ ଶକ୍ତି ଲଗାଇଛି।

ଭୋଟିଂକୁ ନଜରରେ ରଖି ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନ୍‌ଆଇଏ ଅଧିକାରୀମାନେ କୋଲକାତାରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶର ଆଇପିଏସ୍‌ ଅଧିକାରୀ ଅଜୟ ପାଲ୍‌ ଶର୍ମାଙ୍କୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପାଇଁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେ ଭୋଟିଂ ବ୍ୟବସ୍ଥା ନିରୀକ୍ଷଣ ପାଇଁ ଫାଲ୍ଟା ଅଞ୍ଚଳକୁ ଯାଇଥିବା ବେଳେ ଟିଏମ୍‌ସି ସମର୍ଥକମାନଙ୍କ ତରଫରୁ ବିରୋଧର ସମ୍ମୁଖୀନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *