ନ୍ୟୁଜ ଡେକ୍ସ : ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଦୀର୍ଘଦିନ ଧରି ଆତଙ୍କବାଦୀ ସଂଗଠନମାନଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ଭାବେ ପରିଚିତ। ଏହା ସତ୍ୱେ, ସମ୍ପ୍ରତି ସେହି ଦେଶରେ ଆତଙ୍କବାଦୀମାନେ ନିଜେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଯାଉଛି। କିଛି ସମୟ ଧରି ପାକିସ୍ତାନରେ ଏକ ପରେ ଏକ ଆତଙ୍କବାଦୀଙ୍କୁ ଲକ୍ଷ୍ୟ କରି ଆକ୍ରମଣ ଘଟୁଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।
ସମ୍ପ୍ରତି ବହାୱଲପୁରରେ ଜଣେ ଜୈଶ ସଂପୃକ୍ତ ଆତଙ୍କବାଦୀ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି। ଦାବି କରାଯାଉଛି ଯେ, ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ନେଇ ସ୍ପଷ୍ଟ ତଥ୍ୟ ମିଳିନଥିବା ବେଳେ ଏହାକୁ ନେଇ ବିଭିନ୍ନ ଅନୁମାନ ଜାରି ରହିଛି।ଏହା ପୂର୍ବରୁ ଲାହୋରରେ ଲସ୍କର-ଏ-ତୈବା ସଂଗଠନର ସହ-ପ୍ରତିଷ୍ଠାତା ଅମିର ହମଜା ଉପରେ ମଧ୍ୟ ଗୁଳିଚାଳନ ଘଟଣା ଘଟିଥିଲା। ଏହି ଆକ୍ରମଣରେ ସେ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ପଞ୍ଜାବ ପୋଲିସ ଅଜଣା ବନ୍ଧୁକଧାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ ଅନୁଯାୟୀ, କିଛି ଅଜଣା ବ୍ୟକ୍ତି ମୋଟରସାଇକେଲରେ ଆସି ଲାହୋରର ପେକୋ ରୋଡ଼ରେ ଏକ ଗାଡ଼ି ଉପରେ ଗୁଳି ଚଳାଇଥିଲେ। ଏହି ଗାଡ଼ିଟି 24NewsHD ଟିଭି ଚ୍ୟାନେଲ ସଂପୃକ୍ତ ଥିବା ବେଳେ ତାହାରେ କାର୍ଯ୍ୟକ୍ରମ ସଂଚାଳକ ଜଷ୍ଟିସ୍ (ଅବସରପ୍ରାପ୍ତ) ନାଜିର ଅହମ୍ମଦ ଗାଜି ଓ ଅମିର ହମଜା ଉପସ୍ଥିତ ଥିଲେ।ଏହି ସମସ୍ତ ଘଟଣା ପାକିସ୍ତାନରେ ସୁରକ୍ଷା ପରିସ୍ଥିତିକୁ ନେଇ ପୁନର୍ବାର ପ୍ରଶ୍ନ ଉଠାଇଛି ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଭୟ ଓ ଅନିଶ୍ଚିତତା ବଢ଼ାଇଛି।

