Fri. May 1st, 2026

ନ୍ୟୁଜ ଡେକ୍ସ : ଭାରତର ସାଂସ୍କୃତିକ ଐତିହ୍ୟ ପୁନରୁଦ୍ଧାର ଦିଗରେ ଏକ ବଡ଼ ସଫଳତା ହାସଲ ହୋଇଛି। ଆମେରିକା ସରକାର ଇତିମଧ୍ୟରେ ୬୫୭ଟି ପ୍ରାଚୀନ କଳାକୃତି ଭାରତକୁ ଫେରାଇ ଦେଇଛନ୍ତି। ଦୀର୍ଘଦିନ ଧରି ବିଦେଶରେ ରହିଥିବା ଏହି ମୂଲ୍ୟବାନ ଐତିହାସିକ ସମ୍ପଦ ଦେଶକୁ ଫେରିବା ସହ ସାଂସ୍କୃତିକ ମଞ୍ଚରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।ଏହି କଳାକୃତିଗୁଡିକର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧୪ ନିୟୁତ ଡଲାର ହେବ ବୋଲି ଆକଳନ କରାଯାଇଛି।

ଏଥିରେ ଧାର୍ମିକ ଓ ଐତିହାସିକ ଗୁରୁତ୍ୱର ବହୁ ମୂର୍ତ୍ତି ଓ ପ୍ରତିମା ସାମିଲ ରହିଛି, ଯାହା ଭାରତୀୟ କଳା ଓ ସଂସ୍କୃତିର ସମୃଦ୍ଧିକୁ ପ୍ରକାଶ କରେ।ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସର ଅଧିକାରୀଙ୍କୁ ଏହି କଳାକୃତିଗୁଡିକ ହସ୍ତାନ୍ତର କରାଯାଇଛି। ଏହା ପରେ ସେଗୁଡିକୁ ଭାରତକୁ ଆଣି ସୁରକ୍ଷିତ ରଖିବା ସହ ସମ୍ପର୍କିତ ସଂଗ୍ରହାଳୟ କିମ୍ବା ଅନ୍ୟ ସଂସ୍ଥାରେ ସଂରକ୍ଷଣ କରାଯିବା ନିଷ୍ପତ୍ତି ନିଆଯିବ।ଫେରସ୍ତ ହୋଇଥିବା ଏହି କଳାକୃତିମାନଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ବ୍ରୋଞ୍ଜ ପ୍ରତିମା ଓ ଭଗବାନ ବୁଦ୍ଧଙ୍କ ପ୍ରତିମା ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି। ଏହି ପ୍ରତିମାମାନେ କେବଳ ଧାର୍ମିକ ନୁହେଁ, ବରଂ ଭାରତୀୟ ଶିଳ୍ପକଳାର ଉଚ୍ଚତମ ଦକ୍ଷତାର ଦର୍ଶନ ଦେଇଥାନ୍ତି।

ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗକୁ ଆହୁରି ମଜବୁତ କରିବା ସହ ଚୋରାଚାଲାନ ହୋଇଥିବା ଐତିହାସିକ ବସ୍ତୁମାନଙ୍କୁ ତାଙ୍କର ମୂଳ ଦେଶକୁ ଫେରାଇବା ଉଦ୍ୟମକୁ ମଧ୍ୟ ଗତି ଦେଇଛି।ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଯେ, ଏପରି ପ୍ରୟାସ ଭାରତର ହାରାଇଥିବା ସାଂସ୍କୃତିକ ସମ୍ପଦକୁ ପୁନର୍ଜୀବନ ଦେବାରେ ମୁଖ୍ୟ ଭୂମିକା ନେବ। ଏହା ସହିତ ଆଗାମୀ ଦିନରେ ଅନ୍ୟ ଦେଶରେ ଥିବା ଭାରତୀୟ ପ୍ରାଚୀନ କଳାକୃତିମାନେ ମଧ୍ୟ ଫେରିବେ ବୋଲି ଆଶା ବ୍ୟକ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *