ନ୍ୟୁଜ ଡେକ୍ସ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ଏକ ବର୍ଷ ପୂରିଛି। ଏହି ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁକୁ କେବେ ଭୁଲିହେବ ନାହିଁ ଏବଂ ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ସଫଳ ହେବ ନାହିଁ।ସେ ଆହୁରି କହିଛନ୍ତି ଯେ, ଭାରତ କୌଣସି ପ୍ରକାରର ଆତଙ୍କବାଦ ସାମ୍ନାରେ କେବେ ମୁଣ୍ଡ ନୁଆଁଇବ ନାହିଁ।
ଏହି ଦୁଃଖର ସମୟରେ ସମଗ୍ର ଦେଶ ଏକତ୍ରିତ ହୋଇ ସହିଦମାନଙ୍କୁ ସ୍ମରଣ କରୁଛି।ଗତବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରନ ଉପତ୍ୟକାରେ ଘଟିଥିବା ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିଲେ। ସେହି ଦିନର ଭୟାବହ ଦୃଶ୍ୟ ଏବେ ବି ଦେଶବାସୀଙ୍କ ମନରେ ତାଜା ଅଛି। ଆତଙ୍କବାଦୀଙ୍କ ଗୁଳିବର୍ଷାରେ ଅନେକ ପରିବାର ଉଜୁଡ଼ି ଯାଇଥିଲା ଏବଂ ସମଗ୍ର ଦେଶ ଶୋକ ଓ ଆକ୍ରୋଶରେ ଭରିଯାଇଥିଲା। ଏହି ବାର୍ଷିକୀକୁ ଦୃଷ୍ଟିରେ ରଖି ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡ଼ାକଡ଼ି କରାଯାଇଛି। ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ବିଶେଷ ନଜରଦାରି ଚାଲିଛି ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି।
ଜଙ୍ଗଲ ଓ ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ମେ ୬-୭ ତାରିଖରେ ପାକିସ୍ତାନ ଓ ପିଓକେରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା।ଏକ ବର୍ଷ ପରେ ମଧ୍ୟ ସେହି ଦୁଃଖଦ ଘଟଣାର ସ୍ମୃତି ଅମିଟ ରହିଛି। ଦେଶବାସୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆତଙ୍କବାଦ ବିରୋଧରେ ଆଉ ଅଧିକ ଦୃଢ଼ ସଂକଳ୍ପ ନେଇଛନ୍ତି।

