Fri. Apr 24th, 2026

ନ୍ୟୁଜ ଡେକ୍ସ : ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ଏକ ବର୍ଷ ପୂରଣ ହୋଇଛି। ଗତବର୍ଷ ୨୨ ଏପ୍ରିଲରେ ଘଟିଥିବା ଏହି ଘଟଣାକୁ ସ୍ମରଣ କରି ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବେଶ କଡ଼ାକଡ଼ି କରାଯାଇଛି।

ସୁରକ୍ଷା ଏଜେନ୍ସିମାନଙ୍କୁ ମିଳିଥିବା ସୂଚନା ଅନୁସାରେ, କିଛି ଆତଙ୍କବାଦୀ ସଂଗଠନ ବଡ଼ ଆକ୍ରମଣର ଯୋଜନା କରୁଥିବାରୁ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ସତର୍କତା ବୃଦ୍ଧି କରାଯାଇଛି। ସେନା, ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ମିଳି ଚାରିପାଖରେ ନିରନ୍ତର ନଜର ରଖୁଛନ୍ତି।ଗତବର୍ଷ ପହଲଗାମର ବୈସରନ ଉପତ୍ୟକାରେ ଘଟିଥିବା ଏହି ଆକ୍ରମଣରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଲକ୍ଷ୍ୟ କରିଥିଲେ। ଏଥିରେ ୨୫ ଜଣ ପର୍ଯ୍ୟଟକ ସହିତ ମୋଟ ୨୬ ଜଣ ଜୀବନ ହରାଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଅଚମ୍ବିତ କରିଦେଇଥିଲା ଏବଂ ତାପରେ ସାରା ଦେଶରେ ପ୍ରତିବାଦ ଦେଖାଯାଇଥିଲା।

ବାର୍ଷିକୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଶେଷ ସତର୍କତା ଜାରି କରାଯାଇଛି। ଜଙ୍ଗଲ ଓ ସମ୍ବେଦନଶୀଳ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି। ସୀମାଞ୍ଚଳ ଓ ଜାତୀୟ ରାଜପଥ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ନଜରଦାରି ବଢ଼ାଯାଇଛି। ଯାନବାହାନ ଯାଞ୍ଚକୁ କଡ଼ା କରାଯାଇଥିବା ବେଳେ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଖାସ ଧ୍ୟାନ ଦିଆଯାଉଛି।ଏହାସହିତ ଡ୍ରୋନ ମାଧ୍ୟମରେ ଜଙ୍ଗଲ ଓ ସନ୍ଦିଗ୍ଧ ଅଞ୍ଚଳ ଉପରେ ନଜର ରଖାଯାଉଛି।

ସୁରକ୍ଷା ବାହିନୀ ରାସ୍ତା ଓ ରାଜପଥରେ ନିରନ୍ତର ପାଟ୍ରୋଲିଂ କରୁଛନ୍ତି।ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲା। ଗତ ଏକ ବର୍ଷ ଧରି ସୁରକ୍ଷା ବାହିନୀର ଚାପ ଯୋଗୁଁ ବଡ଼ ଆକ୍ରମଣ ରୋକିବାରେ ସଫଳତା ମିଳିଛି।ବର୍ତ୍ତମାନ ବାର୍ଷିକୀ ଅବସରରେ କୌଣସି ଅପ୍ରିୟ ଘଟଣା ରୋକିବା ପାଇଁ ସମସ୍ତ ବାହିନୀ ହାଇ ଆଲର୍ଟରେ ରହିଛନ୍ତି ଏବଂ ପରିସ୍ଥିତି ଉପରେ ଗଭୀର ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *