Fri. Apr 24th, 2026

ନ୍ୟୁଜ ଡେକ୍ସ : ପ୍ରକୃତିର ଅଦ୍ଭୁତ ରହସ୍ୟମୟ ଜଗତରେ ମଣିଷ ଠାରୁ ଅଧିକ ସମୟ ବଞ୍ଚୁଥିବା ଅନେକ ପ୍ରାଣୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ‘ଜୋନାଥନ୍’ ନାମକ ଏକ ବିଶାଳ କଇଁଛ ପୃଥିବୀର ସବୁଠାରୁ ବୟସ୍କ ଜୀବିତ ଭୂମି ପ୍ରାଣୀ ଭାବେ ପରିଚିତ। ସେଚେଲ୍ସ ପ୍ରଜାତିର ଏହି କଇଁଛ ପ୍ରାୟ ୧୯୪ ବର୍ଷ ଧରି ବଞ୍ଚିଥିବା ଜଣାପଡ଼ିଛି।ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗରର ସେଣ୍ଟ ହେଲେନା ଦ୍ୱୀପରେ ବସୋବାସ କରୁଥିବା ଜୋନାଥନ୍ ପ୍ରାୟ ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିବା ମନେ କରାଯାଏ।

ସେ ରାଜ୍ୟପାଳଙ୍କ ବାସଭବନ ପ୍ଲାଣ୍ଟେସନ୍ ହାଉସର ବଗିଚାରେ ରହୁଛନ୍ତି। ଅନ୍ଧ ହୋଇଥିଲେ ମଧ୍ୟ ଏବଂ ଗନ୍ଧ ଶକ୍ତି କମିଥିଲେ ମଧ୍ୟ ସେ ଶାନ୍ତିପୂର୍ଣ୍ଣ ଜୀବନ ଉପଭୋଗ କରୁଛନ୍ତି। କଦଳୀ, ଗାଜର ଭଳି ଫଳ ଓ ସବୁଜ ସବ୍ଜି ତାଙ୍କର ପ୍ରିୟ ଖାଦ୍ୟ।ଜୋନାଥନ୍ ତାଙ୍କ ଦୀର୍ଘ ଜୀବନକାଳରେ ଦୁଇଟି ବିଶ୍ୱଯୁଦ୍ଧ ସହ ବିଶ୍ୱର ଅନେକ ବଡ଼ ପରିବର୍ତ୍ତନ ଦେଖିଛନ୍ତି। ତଥାପି ସମୁଦ୍ର ଜଗତରେ ଏହାଠାରୁ ମଧ୍ୟ ଅଧିକ ଦୀର୍ଘଜୀବୀ ପ୍ରାଣୀ ରହିଛନ୍ତି। ଗ୍ରୀନଲ୍ୟାଣ୍ଡ ସାର୍କ ପ୍ରାୟ ୪୦୦ରୁ ୫୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ସେହିପରି ସମୁଦ୍ର କ୍ୱାହୋଗ୍ ନାମକ ସିପ୍‌ ମଧ୍ୟ ୫୦୦ ବର୍ଷରୁ ଅଧିକ ସମୟ ବଞ୍ଚିଥିବା ରେକର୍ଡ ରହିଛି। ଅଧିକ ଆଶ୍ଚର୍ୟଜନକ ହେଉଛି ସମୁଦ୍ର ଗଭୀରତାରେ ମିଳୁଥିବା କାଚ ସ୍ପଞ୍ଜ, ଯେଉଁମାନେ ୧୦ ହଜାରରୁ ୧୫ ହଜାର ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି।

ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଧନୁ ତିମି ପ୍ରାୟ ୨୦୦ ବର୍ଷରୁ ଅଧିକ ସମୟ ଜୀବନ ବଞ୍ଚିପାରେ।ବିଶେଷଜ୍ଞମାନଙ୍କ ମତାନୁସାରେ ପ୍ରାଣୀମାନଙ୍କ ଦୀର୍ଘାୟୁର ପ୍ରମୁଖ କାରଣ ହେଉଛି ଧୀର ମେଟାବୋଲିଜିମ୍, ସ୍ଥିର ପରିବେଶ ଏବଂ କମ୍ ପ୍ରାକୃତିକ ଶତ୍ରୁ। ବିଶେଷକରି ଗଭୀର ସମୁଦ୍ରର ଥଣ୍ଡା ଓ ଅନ୍ଧାର ପରିବେଶ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀର କରିଦିଏ, ଯାହା ଦୀର୍ଘ ଜୀବନର ରହସ୍ୟ ହୋଇରହିଛି।

Leave a Reply

Your email address will not be published. Required fields are marked *