ନ୍ୟୁଜ ଡେକ୍ସ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରଲର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଏକ ପରିବାରର ଦୁଇ ମହିଳା, ଦୁଇ ପୁରୁଷ ଓ ଜଣେ ଶିଶୁ କାର ଯୋଗେ ପୁରୀରୁ ନବରଙ୍ଗପୁରସ୍ଥିତ ଶ୍ୱଶୁର ଘରକୁ ଫେରୁଥିଲେ।
ଏହି ସମୟରେ କଳାହାଣ୍ଡି ଅଭିମୁଖେ ଯାଉଥିବା ଏକ ଟ୍ରଲର ସହ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା।ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ମହିଳା ଗୁରୁତର ଆହତ ହୋଇଥିଲେ। ଖବର ପାଇ ତୁରନ୍ତ ପୁଲିସ ଓ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୫ ଜଣଙ୍କୁ ଉଦ୍ଧାର କରିଥିଲେ।ସମସ୍ତ ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

