Thu. Jun 4th, 2026

ନ୍ୟୁଜ ଡେକ୍ସ : ଏଣିକି ଗୋଟିଏ ଅଫିସ୍‌ରେ ବର୍ଷ ବର୍ଷ ଧରି ଚାକିରି କରିବା ଆଉ ସହଜ ହେବନି। ରାଜସ୍ୱ ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସରକାର ଆଣିଛନ୍ତି କଡା ରୋଟେସନ୍ ନୀତି। ଏବେ କୌଣସି କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ୩ ବର୍ଷ ପୂରା ହେଲେ ସେମାନଙ୍କର ବଦଳି କରାଯିବ।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ ଜାରି କରାଯାଇଛି।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ ଚିଠି ଲେଖି ପ୍ରଶାସନିକ ସ୍ୱଚ୍ଛତା, ପାରଦର୍ଶିତା ଓ କାର୍ଯ୍ୟଦକ୍ଷତା ବଜାୟ ରଖିବାକୁ ଜୋର ଦେଇଛନ୍ତି।ନୂଆ ନିୟମ ଅନୁସାରେ ଜିଲ୍ଲାପାଳ କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ ଅଫିସରେ କାମ କରୁଥିବା ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କୁ ରୋଟେସନ୍‌ରେ ସାମିଲ କରାଯିବ। ସେକ୍ସନ ଅଫିସର (SO), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (SRA), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA)ଙ୍କ ସହ କ୍ଷେତ୍ରସ୍ତରରେ କାମ କରୁଥିବା ରେଭେନ୍ୟୁ ସୁପରଭାଇଜର, ଆରଆଇ, ଏଆରଆଇ ଓ ଅମିନମାନେ ମଧ୍ୟ ଏହି ବଦଳି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବେ।

ଯେଉଁ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ବଦଳି କରିବାକୁ କୁହାଯାଇଛି। ବିଶେଷ କରି ଜୁନ୍ ୧୫, ୨୦୨୬ ସୁଦ୍ଧା ସମସ୍ତ ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ସମୟସୀମା ଦିଆଯାଇଛି।ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଏଥିରେ ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ରହିବାରୁ ସୃଷ୍ଟି ହେଉଥିବା ପ୍ରଭାବ ଓ ଅନିୟମିତତାକୁ ରୋକିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *