Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣିଥରେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ତେଲ ଦର ବୃଦ୍ଧି ପରେ ଏବେ ଘରୋଇ ବସ୍ ଭଡା ମଧ୍ୟ ବଢ଼ାଇ ଦିଆଯାଇଛି। ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନୂଆ ଭଡା ତାଲିକା ଜାରି କରାଯାଇଛି। ସ୍ବୟଂକ୍ରିୟ ଭଡା ନିର୍ଦ୍ଧାରଣ ପଦ୍ଧତି ଅନୁସାରେ ଏହି ଭଡା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି।ନୂଆ ଦର ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି।

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୪ ପଇସା ବଢ଼ାଯାଇଛି। ସୁପର ଡିଲକ୍ସ ବସ୍ ଭଡାରେ ସର୍ବାଧିକ ୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହି ନୂଆ ଭଡା ତୁରନ୍ତ ପ୍ରଭାବୀ ହେବ ବୋଲି କୁହାଯାଇଛି।ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ, ଡିଜେଲ ଦର ଲଗାତାର ବଢୁଥିବାରୁ ବସ ଚଳାଚଳ ଖର୍ଚ୍ଚ ଅଧିକ ବଢ଼ିଯାଇଛି। ଏହାସହ ଗାଡ଼ିର ରକ୍ଷଣାବେକ୍ଷଣ, ସ୍ପେୟାର ପାର୍ଟସ, ଟାୟାର ଓ କର୍ମଚାରୀଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ ପୁରୁଣା ଭଡାରେ ବସ୍ ଚଳାଚଳ କରିବା ଅସୁବିଧା ହେଉଥିବାରୁ ସରକାରଙ୍କ ସ୍ବୟଂକ୍ରିୟ ଭଡା ନୀତି ଅନୁସାରେ ନୂଆ ଦର ଲାଗୁ କରାଯାଇଛି।

ଏହି ଭଡା ବୃଦ୍ଧି ପରେ ଦୈନିକ ଯାତ୍ରୀମାନଙ୍କ ଉପରେ ଅଧିକ ଆର୍ଥିକ ଚାପ ପଡ଼ିବ। ବିଶେଷ କରି ଛାତ୍ରଛାତ୍ରୀ, ଚାକିରିଆ ଓ ଦୂରସ୍ଥାନକୁ ଯାତାୟାତ କରୁଥିବା ସାଧାରଣ ଲୋକମାନେ ଏଥିରେ ପ୍ରଭାବିତ ହେବେ। ତେବେ ବସ ମାଲିକ ସଂଘ କହିଛି ଯେ, ଇନ୍ଧନ ଦର କମିଲେ ଆଗାମୀଦିନରେ ଭଡା ମଧ୍ୟ ପୁନଃ ସମୀକ୍ଷା କରାଯିବ।ତେଲ ଦର ବୃଦ୍ଧିର ପ୍ରଭାବ କେବଳ ପରିବହନ କ୍ଷେତ୍ରରେ ନୁହେଁ, ବଜାର ଦର ଉପରେ ମଧ୍ୟ ପଡ଼ିବାର ଆଶଙ୍କା ରହିଛି। ଯାତାୟାତ ଖର୍ଚ୍ଚ ବଢ଼ିବା ସହ ପଣ୍ୟ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିପାରେ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଦୈନିକ ଜୀବନ ଉପରେ ପଡ଼ିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *