ନ୍ୟୁଜ ଡେକ୍ସ : ଆସନ୍ତା ୨୧ ତାରିଖରେ ପୁରୀରେ ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀ ଅନୁଯାୟୀ ବାଚସ୍ପତିଙ୍କ ଭୂମିକା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ କମିଟି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଦଳବଦଳ ନିରୋଧ ଆଇନର ପ୍ରାସଙ୍ଗିକତା, ତାହାର ପ୍ରୟୋଗ ଓ ବର୍ତ୍ତମାନ ସମୟରେ ଏହାର ପରିଣତି ବିଷୟରେ ବ୍ୟାପକ ଚର୍ଚ୍ଚା ହେବ।ସମ୍ମିଳନୀଟି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ସୁରେଶ ନରେୱକରଙ୍କ ଅଧ୍ୟକ୍ଷତାରେ ଓ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବ।
ଏହି ବୈଠକରେ ମହାରାଷ୍ଟ୍ର ଓ ଓଡ଼ିଶା ସହିତ କର୍ଣ୍ଣାଟକ ଓ ନାଗାଲାଣ୍ଡ ବିଧାନସଭାର ବାଚସ୍ପତିମାନେ ମଧ୍ୟ ଯୋଗଦେବେ।ଦଶମ ଅନୁସୂଚୀ ଅନୁଯାୟୀ ଦଳବଦଳ ନିରୋଧ ଆଇନ ଭାରତୀୟ ଲୋକତନ୍ତ୍ରରେ ଦଳୀୟ ଶିଷ୍ଟାଚାର ରକ୍ଷାରେ ଏକ ମୁଖ୍ୟ ଉପାଦାନ ଭାବେ ପରିଚିତ। କିନ୍ତୁ ଏହାର ପ୍ରୟୋଗ ସମୟରେ ବାଚସ୍ପତିଙ୍କ ଭୂମିକା, ନିଷ୍ପତ୍ତି ଗ୍ରହଣର ସମୟସୀମା ଓ ନିଷ୍ପକ୍ଷତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଆସିଛି। ଏହି ପରିପ୍ରେକ୍ଷିତରେ, ଆଗାମୀ ସମ୍ମିଳନୀରେ ଆଇନର ଦୃଢତା ବୃଦ୍ଧି, ଦଳବଦଳକୁ କିପରି ରୋକାଯାଇପାରିବ ଓ ବିଧାନସଭାର ସ୍ଥିରତା କିପରି ରକ୍ଷା କରାଯିବ, ସେସବୁ ଦିଗରେ ଗଭୀର ଆଲୋଚନା ହେବ। ଏହି ବୈଠକରେ ସମ୍ବିଧାନ ବିଶେଷଜ୍ଞମାନଙ୍କ ସହ ଓଡ଼ିଶାର ଆଡଭୋକେଟ୍ ଜେନେରାଲ, ଲୋକସଭାର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ରାଜ୍ୟ ବିଧାନସଭାର ସଚିବମାନେ ଯୋଗଦେବେ।
ଏହା ମାଧ୍ୟମରେ ନୀତିଗତ ଓ ଆଇନଗତ ସଂଶୋଧନ ପାଇଁ ମତାମତ ସଂଗ୍ରହ କରାଯିବା ସହ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ମଜବୁତ ମଞ୍ଚ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।ପୁରୀରେ ଆୟୋଜିତ ହେବାକୁଥିବା ଏହି ସମ୍ମିଳନୀକୁ ଦେଶର ବିଭିନ୍ନ ବିଧାନସଭା ଓ ରାଜନୈତିକ ମହଳରେ ଗୁରୁତ୍ୱ ସହ କୁହାଯାଉଛି। ଏହା ଦଳବଦଳ ନିରୋଧ ଆଇନକୁ ଆହୁରି ପ୍ରଭାବଶାଳୀ କରିବାରେ ଏକ ନୂଆ ଦିଗ ଦେଖାଇପାରିବ ବୋଲି ମତ ପ୍ରକାଶ ପାଉଛି।

