Tue. May 5th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ସେ ବଙ୍ଗାଳୀ ପାରମ୍ପରିକ ପୋଷାକରେ ଦେଖାଯାଇଥିବାରୁ ସବୁଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲେ। ଧଳା କୁର୍ତ୍ତା ସହ ଟସର ସିଲ୍କ ଧୋତି ଏବଂ ଲାଲ ବର୍ଡର ଥିବା ପୋଷାକ ପିନ୍ଧି ସେ ବଙ୍ଗାଳୀ ସଂସ୍କୃତିକୁ ଉଜାଗର କରିଥିଲେ।

ଗାମୁଛା ମଧ୍ୟ ସେହି ସଂସ୍କୃତିର ପ୍ରତିଫଳନ ଦେଖାଇଥିଲା।ଦଳୀୟ କର୍ମୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଓ ଅଭୂତପୂର୍ବ ଦିନ। ବର୍ଷ ଧରି କରାଯାଇଥିବା ପରିଶ୍ରମ ଏବେ ସଫଳତାରେ ପରିଣତ ହୋଇଛି ଏବଂ ସେହି ଖୁସି ସାରା ଦେଶର କର୍ମୀମାନଙ୍କ ମୁହଁରେ ଦେଖିବାକୁ ମିଳୁଛି।ତାଙ୍କ ଭାଷଣରେ ସେ କହିଥିଲେ ଯେ ବଙ୍ଗଳାରେ ଏହି ବିଜୟ ‘ପ୍ରତିଶୋଧ’ ନୁହେଁ, ବରଂ ‘ପରିବର୍ତ୍ତନ’ର ପ୍ରତୀକ। ସେ ସମସ୍ତ ଦଳକୁ ହିଂସାମୁକ୍ତ ପରିବେଶ ଗଠନ କରିବାକୁ ଆହ୍ୱାନ କରିଥିବା ବେଳେ ରାଜ୍ୟରେ ଭୟମୁକ୍ତ ଓ ବିକାଶମୂଳକ ପରିବେଶ ଗଢ଼ିଉଠିବାରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମହିଳାମାନଙ୍କୁ ସୁରକ୍ଷିତ ପରିବେଶ ଓ ଯୁବପିଢ଼ୀଙ୍କୁ ରୋଜଗାର ଦେବା ପାଇଁ ସରକାର ପ୍ରତିବଦ୍ଧ।

ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ନେଇ ନିଷ୍ପତ୍ତି ହେବା ସହ ଅବୈଧ ଅନୁପ୍ରବେଶ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।ସେ ଆହୁରି କହିଥିଲେ ଯେ ବଙ୍ଗଳାର ଲୋକମାନେ ବିଜେପିକୁ ତାଙ୍କ ସ୍ୱପ୍ନ ପୂରଣ କରିବାର ସୁଯୋଗ ଦେଇଛନ୍ତି ଏବଂ ଦଳ ସେହି ଆଶାକୁ ପୂରଣ କରିବାରେ କୌଣସି କସରତ ଛାଡ଼ିବ ନାହିଁ। ଏହି ବିଜୟକୁ ସେ କର୍ମୀମାନଙ୍କ ଦୀର୍ଘଦିନର ସଂଘର୍ଷ ଓ ସମର୍ପଣର ପରିଣାମ ବୋଲି କହିଥିଲେ।ଉଲ୍ଲେଖନୀୟ ଯେ ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ଏବଂ ବିପୁଳ ଆସନରେ ଆଗୁଆ ରହି ଏହି ଐତିହାସିକ ବିଜୟ ହାସଲ କରିଛି।

Leave a Reply

Your email address will not be published. Required fields are marked *