ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଏହି ସମୟରେ ଚାଷ ଅମଳ ଚାଲିଥିବାରୁ ସାରା ଓଡ଼ିଶାରେ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଯଦି ଏହି ପର୍ଯ୍ୟାୟରେ ବାତ୍ୟା ଆସେ, ବଡ଼ ପରିମାଣରେ କୃଷିକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି।
ଏହାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛି ବୋଲି ଜଣାଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରକାର ନେଇଛି। ପ୍ରୟୋଜନୀୟ ଆପତ୍କାଳୀନ ଦଳ, ସଚେତନତା କାର୍ଯ୍ୟକ୍ରମ ଓ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି।
ବୈଞ୍ଜାନିକ ଅନୁମାନ ଅନୁଯାୟୀ ଆସୁଥିବା ବାତ୍ୟା ପ୍ରଥମେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରଭାବ ପକାଇ, ପରେ ଓଡ଼ିଶାର କୂଳ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିପାରେ। ତାଙ୍କ କହିବା ଅନୁସାରେ, ଆସନ୍ତାକାଲି ପରିସ୍ଥିତିର ସ୍ପଷ୍ଟତା ମିଳିବ ଏବଂ ବାତ୍ୟାର ଗତିପଥ ନେଇ ଖୋଲାସା ହେବ।

