ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତୀବ୍ର ଉତ୍ତେଜନାର ସିଧାସଳଖ ପ୍ରଭାବ ଏବେ ଭାରତୀୟ ଖାଉଟିଙ୍କ ଉପରେ ପଡ଼ିଛି । ଦେଶରେ ପେଟ୍ରୋଲ, ଡିଜେଲ ଓ CNG ଦରରେ ବଡ଼ ବୃଦ୍ଧି ହୋଇଛି । ବଢ଼ୁଥିବା ତୈଳ ମୂଲ୍ୟ ଦେଶର ଅର୍ଥନୀତି ଉପରେ ଚାପ ବଢ଼ାଇବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ଶୁକ୍ରବାରଠାରୁ ଦେଶର ୪ଟି ମେଟ୍ରୋ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବଢ଼ି ୯୭ ଟଙ୍କା ୭୭ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ମୂଲ୍ୟ ମଧ୍ୟ ୩ ଟଙ୍କା ବୃଦ୍ଧି ପାଇ ୯୦ ଟଙ୍କା ୬୭ ପଇସା ହୋଇଛି ।କୋଲକାତାରେ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୨୯ ପଇସା ବୃଦ୍ଧି ପାଇ ୧୦୮ ଟଙ୍କା ୭୪ ପଇସାରେ ପହଞ୍ଚିଛି । ସେଠାରେ ଡିଜେଲ ଦର ୩ ଟଙ୍କା ୧୧ ପଇସା ବଢ଼ି ୯୫ ଟଙ୍କା ୧୩ ପଇସା ହୋଇଛି ।
ମୁମ୍ବାଇରେ ପେଟ୍ରୋଲ ଦର ୩ ଟଙ୍କା ୧୪ ପଇସା ବଢ଼ି ୧୦୬ ଟଙ୍କା ୬୮ ପଇସାରେ ପହଞ୍ଚିଥିବା ବେଳେ, ଚେନ୍ନାଇରେ ପେଟ୍ରୋଲ ୨ ଟଙ୍କା ୮୩ ପଇସା ବୃଦ୍ଧି ପାଇ ୧୦୩ ଟଙ୍କା ୬୭ ପଇସା ହୋଇଛି । ଚେନ୍ନାଇରେ ଡିଜେଲ ଦର ମଧ୍ୟ ୨ ଟଙ୍କା ୮୬ ପଇସା ବଢ଼ି ୯୫ ଟଙ୍କା ୨୫ ପଇସାରେ ବିକ୍ରି ହେଉଛି ।
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ୧୦୪ ଟଙ୍କାରେ ପହଞ୍ଚିଛି । ସେହିପରି CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଥିବାରୁ ଯାତାୟାତ ଖର୍ଚ୍ଚ ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି ।ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଓ ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସଂକଟକୁ ଏହି ଦରବୃଦ୍ଧିର ପ୍ରମୁଖ କାରଣ ବୋଲି ଧରାଯାଉଛି । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି । ଏହାର ପ୍ରଭାବ ଭାରତ ପରି ଆମଦାନୀ ନିର୍ଭର ଦେଶ ଉପରେ ସିଧାସଳଖ ପଡ଼ୁଛି ।

