ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଶୁକ୍ରବାର ୨୧ ଦିନରେ ପହଞ୍ଚିଥିବାବେଳେ ଏହାର ପ୍ରଭାବ ବିଶ୍ବ ତୈଳ ବଜାର ଉପରେ ଗଭୀର ଭାବେ ପଡ଼ିଛି। ଯୁଦ୍ଧ ପରିସ୍ଥିତି କାରଣରୁ ବିଶ୍ବବ୍ୟାପୀ ତୈଳ ସଂକଟ ଦିନକୁ ଦିନ ଗୁରୁତର ହେଉଛି। ଏହି ସମସ୍ୟାକୁ ମୋକାବିଲା କରିବା ପାଇଁ ଆମେରିକା ପଦକ୍ଷେପ ନେଇଛି।ଇରାନ ସେନା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ କରାଯାଇଥିବାରୁ ବିଶ୍ବରେ ତୈଳ ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଏହି ପରିପ୍ରେକ୍ଷିତରେ ହର୍ମୁଜ୍ ପ୍ରଣାଳୀକୁ ଆନ୍ତର୍ଜାତିକ ଜାହାଜ ଚଳାଚଳ ପାଇଁ ମୁକ୍ତ ରଖିବା ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଶ୍ଚିମ ଏସିଆକୁ ଅତିରିକ୍ତ ୨,୫୦୦ ମେରାଇନ ସେନା ଏବଂ ୩ଟି ଯୁଦ୍ଧ ଜାହାଜ ପଠାଇବାକୁ ନିର୍ଦେଶ ଦେଇଛନ୍ତି।ଏପରିସ୍ଥିତିରେ ଇରାନ ପଡ଼ୋଶୀ ଦେଶ କାତାର, କୁଏତ, ସାଉଦି ଆରବ ଏବଂ ୟୁଏଇର ତୈଳ ଓ ଗ୍ୟାସ୍ ପ୍ରକଳ୍ପ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯାହା ଫଳରେ ତୈଳ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷ କରି କତାରର ‘ରାସ ଲାଫାନ’ ଗ୍ୟାସ୍ ପ୍ଲାଣ୍ଟରେ ବଡ଼ ଧରଣର କ୍ଷତି ଘଟିଥିବା ସୂଚନା ମିଳିଛି। ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୫ ଡଲାରରୁ ୧୦୭ ଡଲାର ମଧ୍ୟରେ ରହିଛି। ଗତ ୧୯ ମାର୍ଚ୍ଚରେ ଏହି ଦର ୧୧୯ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା, କିନ୍ତୁ ପରେ ପ୍ରାୟ ୨.୩ ଶତଂଶରୁ ୭ ଶତଂଶ ପର୍ଯ୍ୟନ୍ତ ହ୍ରାସ ପାଇଛି।
ବିଶେଷଜ୍ଞମାନଙ୍କ ମତରେ, ଯଦି ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଜାରି ରହେ, ତେବେ ଆଗାମୀ ସପ୍ତାହଗୁଡ଼ିକରେ ତୈଳ ଦର ୧୨୦ ରୁ ୧୫୦ ଡଲାର ପର୍ଯ୍ୟନ୍ତ ବଢ଼ିପାରେ।ଏହି ପରିସ୍ଥିତିର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି। ଶୁକ୍ରବାର ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ତୈଳ ସଂକଟକୁ ଦୃଷ୍ଟିରେ ରଖି ପ୍ରିମିୟମ ପେଟ୍ରୋଲ ଦର ବଢ଼ାଯାଇଛି। ସାଧାରଣ ପେଟ୍ରୋଲ ଦର ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିବାବେଳେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବା ସମ୍ଭାବନା ରହିଛି। ସେହିପରି ଘରୋଇ ଏଲପିଜି ଯୋଗାଣ ବର୍ତ୍ତମାନ ସାଧାରଣ ଭାବେ ଚାଲୁ ରହିଥିଲେ ମଧ୍ୟ ଆଗକୁ ଏହା ପ୍ରଭାବିତ ହେବାର ଆଶଙ୍କା ରହିଛି।

