ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ଗର୍ବ, ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମେଳା ‘ସାଇଟେଡ଼’ର ନବମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାକାଶଚାରୀ ଶୁଭାଂଶୁ।ଆକ୍ସିୟମ–୪ ମିଶନରେ ୧୮ ଦିନ ଧରି ମହାକାଶରେ ରହିଥିବା ଶୁଭାଂଶୁ ଶୁକ୍ଲା ଛାତ୍ରଛାତ୍ରୀଙ୍କ ସହ ତାଙ୍କ ମହାକାଶ ଯାତ୍ରାର ଅନୁଭୂତି ବାଣ୍ଟିଥିଲେ।
ସେ କହିଛନ୍ତି ଯେ, ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଏବଂ ଅଭୁଲନୀୟ। ପ୍ରଥମ ୫ ଦିନ ଜିରୋ ଗ୍ରାଭିଟି ସହ ଖାପ ଖୁଆଇବା ବେଶ୍ ଚ୍ୟାଲେଞ୍ଜିଂ ଥିଲା। ଏହିପରି ମହାକାଶରୁ ଫେରିବା ପରେ ପୃଥିବୀର ପରିବେଶକୁ ପୁନର୍ବାର ଖାପ ଖୁଆଇବା ମଧ୍ୟ ସହଜ ନଥିଲା ବୋଲି ସେ କହିଛନ୍ତି।ଶୁଭାଂଶୁ କହିଛନ୍ତି, ଜିରୋ ଗ୍ରାଭିଟି କାରଣରୁ ମହାକାଶରେ ଉଚ୍ଚତା ବଢ଼ିଯାଇଥିବା ପରି ଅନୁଭବ ହୁଏ। ରକ୍ତଚାପରେ ପରିବର୍ତ୍ତନ ହୋଇ ହୃଦ୍ସ୍ପନ୍ଦନ କମ୍ ହୋଇଥାଏ। ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, କାରଣ ସେଗୁଡ଼ିକ ଖୋଲିଯାଇ ପାରେ। ତେଣୁ ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇବାକୁ ପଡ଼ିଥାଏ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଜୁନ୍ ୨୫ ତାରିଖରେ ସ୍ପେସ୍ ଡ୍ରାଗନ୍ ମହାକାଶ ଯାନରେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ସମେତ ୪ ଜଣ ମହାକାଶଚାରୀ ଅନ୍ତରୀକ୍ଷ ଯାତ୍ରା କରିଥିଲେ।
ବର୍ତ୍ତମାନ ଦେଶର ଗଗନଯାନ ମିଶନକୁ ନେଇ କାମ ଜୋରଦାର ଭାବରେ ଚାଲିଛି। ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମାନବ ପଠାଇବା ଭାରତର ଲକ୍ଷ୍ୟ ଥିବା କଥା ମଧ୍ୟ ସେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ।ଏରୋସ୍ପେଶ୍ ଓ ମହାକାଶ ବିଜ୍ଞାନ ପ୍ରତି ଯେଉଁମାନେ ଆଗ୍ରହୀ, ସେମାନଙ୍କୁ ସଦା ଉତ୍ସାହିତ କରିବେ ବୋଲି ଶୁଭାଂଶୁ ଶୁକ୍ଲା କହିଛନ୍ତି। ତାଙ୍କ ଉପସ୍ଥିତି ଏବଂ ପ୍ରେରଣାଦାୟକ ଅନୁଭୂତି ଛାତ୍ରଛାତ୍ରୀଙ୍କ ମନରେ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହକୁ ନୂଆ ଦିଗ ଦେଇଛି।

