ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନାବାଳକକୁ ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।ମୃତକ ହେଲେ ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକ।
ଗତକାଲି ରାତିରେ ସତ୍ୟନାରାୟଣଙ୍କ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ ତୁରନ୍ତ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକ୍ସନ ଦେବା ପାଇଁ ପ୍ରେସକ୍ରିପସନ ଲେଖିଥିଲେ। ନର୍ସିଙ୍ଗ ଷ୍ଟାଫ ଇଞ୍ଜେକ୍ସନ ଦେଇଥିବା କିଛି ସମୟ ପରେ ସତ୍ୟନାରାୟଣ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଅବସ୍ଥା ଗୁରୁତର ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଇଞ୍ଜେକ୍ସନ ଭୁଲ ଭାବେ ଦିଆଯାଇଥିବାରୁ ତାଙ୍କ ପୁଅର ମୃତ୍ୟୁ ଘଟିଛି ବୋଲି ଦାବି କରିଛନ୍ତି ପରିବାର ଲୋକେ। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ଲୋକେ ଭିଡ଼ ଜମାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ସମ୍ପୃକ୍ତ ପୋଲିସ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣରେ ନେଇଛନ୍ତି। ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ହେବାକୁ ସୂଚନା ମିଳିଛି।

