ନ୍ୟୁଜ ଡେକ୍ସ : ରାଜ୍ୟରେ ୫ କେଜି ଏଲପିଜି ଗ୍ୟାସ ବିତରଣକୁ ନେଇ ଯୋଗାଣ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏବେ ୫ କେଜି ଗ୍ୟାସ ସିଲିଣ୍ଡର ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ ଏବଂ ଗ୍ୟାସ କମ୍ପାନୀମାନେ ଏହାକୁ ସୁନିଶ୍ଚିତ କରିବେ ବୋଲି କୁହାଯାଇଛି। ଭାରତ ସରକାରଙ୍କ ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହି ସୁବିଧା ଦିଆଯିବ।ସୂଚନା ଅନୁଯାୟୀ, ଏବେ ପେଟ୍ରୋଲ ପମ୍ପରେ ମଧ୍ୟ ୫ କେଜି ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ।
ଲୋକମାନେ କେବଳ ନିଜର ପରିଚୟପତ୍ର ଦେଖାଇ ସହଜରେ ଏହାକୁ କିଣିପାରିବେ। ନୂତନ ୫ କେଜି ସିଲିଣ୍ଡର ପାଇଁ ୧୫୩୭ ଟଙ୍କା ଦେବାକୁ ପଡ଼ିବ ଏବଂ ରିଫିଲ ପାଇଁ ୫୯୩ ଟଙ୍କା ଖର୍ଚ୍ଚ ହେବ।ଯୋଗାଣ ବିଭାଗ ସ୍ପଷ୍ଟ କରିଛି ଯେ, କେବଳ କମ୍ପାନୀର ସିଲିଣ୍ଡରକୁ ମାତ୍ର ଫିଲ କରାଯିବ। ବାହାରର ସିଲିଣ୍ଡର କୌଣସି ପରିସ୍ଥିତିରେ ଫିଲ ହେବ ନାହିଁ। ଏହି ବ୍ୟବସ୍ଥା ଭିତରେ ମୁଖ୍ୟତଃ ଆଇଓସିଏଲ, ଏଚପିସିଏଲ ଓ ବିପିସିଏଲ ମାଧ୍ୟମରେ ଗ୍ୟାସ ବିତରଣ କରାଯିବ। ରିଫିଲ ପାଇଁ କୌଣସି ଦୈନିକ ସୀମା ନଥିବାରୁ ଲୋକମାନେ ଆବଶ୍ୟକତା ଅନୁଯାୟୀ ଯେତେବେଳେ ଚାହିଁବେ ଗ୍ୟାସ ନେଇପାରିବେ।
ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କେଜି ଘରୋଇ ସିଲିଣ୍ଡର ଉପରେ ମଧ୍ୟ କୌଣସି କଟକଣା ରହିନାହିଁ। ତୈଳ ମାର୍କେଟିଂ କମ୍ପାନୀମାନଙ୍କ ଦ୍ୱାରା ବିକ୍ରି ହେଉଥିବା ସିଲିଣ୍ଡର ସହଜରେ ଉପଲବ୍ଧ ହେବ।ଏହା ସହିତ, ୫ କେଜି ଗ୍ୟାସ ସିଲିଣ୍ଡରର ଅବୈଧ ବିକ୍ରି ଉପରେ ସରକାର କଠୋର କଟକଣା ଲଗାଇଛନ୍ତି। ଯେଉଁଠି ଅବୈଧ ବିକ୍ରି ହେଉଛି, ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସଚେତନ କରାଯାଇଛି।ସରକାରଙ୍କ ଏହି ପଦକ୍ଷେପରୁ ସାଧାରଣ ଲୋକ, ବିଶେଷକରି ଛୋଟ ପରିବାର ଓ ଶ୍ରମିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। ୫ କେଜି ଗ୍ୟାସ ସିଲିଣ୍ଡର ସହଜରେ ଓ ସ୍ପଷ୍ଟ ପ୍ରଣାଳୀରେ ମିଳିବାରୁ ଲୋକମାନଙ୍କ ଦୈନନ୍ଦିନ ଜୀବନ ଆହୁରି ସୁବିଧାଜନକ ହେବ।

