ନ୍ୟୁଜ ଡେକ୍ସ : ନୂଆ ବର୍ଷର ଆରମ୍ଭରୁ ରାଜ୍ୟର ଶାସନ-ପ୍ରଶାସନକୁ ଅଧିକ ଦକ୍ଷ, ସ୍ଵଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ ପଦକ୍ଷେପ ନେଇଛନ୍ତି। ଶାସନକୁ ଚଳଚଞ୍ଚଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ସେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ୧୫ ଦଫା ଦିଶା-ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଏହି ନିର୍ଦ୍ଦେଶାବଳୀରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇ ବର୍ଷ ପାଇଁ ସରକାର ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବାକୁ କୁହାଯାଇଛି।
୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାରର ଅର୍ଥନୀତି ଗଢ଼ି ତୋଳିବା ସହ ଓଡିଶାକୁ ଦେଶର ଶ୍ରେଷ୍ଠ ୫ଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ସରକାର ଲକ୍ଷ୍ୟ ଧରିଛନ୍ତି। ରାଜ୍ୟରେ ଶିଳ୍ପାୟନର ଦୃତ ବିକାଶ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମସ୍ତ ଖାଲି ପଡ଼ିଥିବା ସରକାରୀ ପଦପଦବୀ ପୂରଣ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଦକ୍ଷ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ସେବାକୁ ପ୍ରୋତ୍ସାହନ ଦେବା ସହ ଦୁର୍ନୀତିଗ୍ରସ୍ତ, ଅପାରଗ ଓ ଦାୟିତ୍ୱହୀନ ଅଧିକାରୀ-କର୍ମଚାରୀଙ୍କୁ ସମ୍ବିଧାନର ୩୧୧ ଧାରା ଏବଂ ଓଡିଶା ସର୍ଭିସେସ ରୁଲ ଅନୁଯାୟୀ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ, ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତି ପର୍ଯ୍ୟନ୍ତ ନିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଏହା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଛ ଓ ଦକ୍ଷ ଶାସନ ପ୍ରତି ଦୃଢ ସଂକଳ୍ପ ପ୍ରତିଫଳିତ ହେଉଛି। ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ନିୟମିତ ସମୀକ୍ଷା ଓ ମୂଲ୍ୟାୟନକୁ ଜୋର ଦିଆଯାଇଛି। ଗବେଷଣା ଓ ନୀତି ମୂଲ୍ୟାୟନକୁ ଶକ୍ତିଶାଳୀ କରିବା ପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଏକ ‘ଉତ୍କର୍ଷ କେନ୍ଦ୍ର’ ଭାବେ ଗଢ଼ି ତୋଳିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ସରକାରୀ ସମସ୍ତ କାର୍ଯ୍ୟ—ବିଶେଷକରି ନୋଟିସ, ବିଜ୍ଞପ୍ତି ଓ ପତ୍ରାଚାର—କେବଳ ଓଡିଆ ଭାଷାରେ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରୁ ବ୍ଲକ ଓ ତହସିଲ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଏହା କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି, ଉଲ୍ଲଂଘନ କରିଲେ କୈଫିୟତ ତଲବ ହେବ।
ଲୋକଙ୍କ ସମସ୍ୟା ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ମିଳିଛି। ଏଥିପାଇଁ ସୋସିଆଲ ମିଡିଆକୁ ଅଧିକ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ୧୫ ଦଫା ନିର୍ଦ୍ଦେଶାବଳୀ ରାଜ୍ୟର ଶାସନ-ପ୍ରଶାସନକୁ ଏକ ନୂଆ ଦିଗ ଦେବା ସହ ଲୋକଙ୍କ ଆଶା-ଆକାଂକ୍ଷା ପୂରଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।

