ନ୍ୟୁଜ ଡେକ୍ସ : ରାଜଧାନୀ ସହ ସମଗ୍ର ରାଜ୍ୟରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ସକାଳୁ ସକାଳୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟାତ ଭୟଙ୍କର ଭାବେ ପ୍ରଭାବିତ ହେଉଛି। ସକାଳ ୯ଟା ପର୍ଯ୍ୟନ୍ତ ଅନେକ ସ୍ଥାନରେ ରାସ୍ତା ଦୁଶୁନି, ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଛି। ଫଳରେ ଯାନବାହନ ଚଳାଚଳ ମୁସ୍କିଲ୍ ହୋଇପଡ଼ିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି ୪ ଦିନ ଧରି କୁହୁଡ଼ିର ପ୍ରଭାବ ଲାଗି ରହିବ। ଆଗାମୀ ୨୪ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି କରାଯାଇଛି। ଏଥିରୁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୪ଟି ଜିଲ୍ଲା—ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ଶୀତ ସହ କୁହୁଡ଼ିର ପ୍ରକୋପ ବଢ଼ୁଥିବା ବେଳେ ତାପମାତ୍ରା ମଧ୍ୟ ନିମ୍ନସ୍ତରରେ ରହିଛି। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି।
ଭୁବନେଶ୍ୱରରେ ଗତକାଲି ରାତିରେ ପାରଦ ୧୨.୫ ଡିଗ୍ରୀ ଓ କଟକରେ ୧୨ ଡିଗ୍ରୀ ରହିଥିଲା।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ତା’ପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଏବଂ ପରବର୍ତ୍ତୀ ସମୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବାର ଆଶଙ୍କା ରହିଛି।
ଏହାର ପ୍ରଭାବରେ ଶୀତ ଆହୁରି ଜୋରଦାର ହେବ।ପାଣିପାଗ ବିଭାଗ ଅନୁମାନ କରିଛି ଯେ, ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଜାରି ରହିପାରେ। କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ସେହିପରି ପ୍ରବଳ କୁହୁଡ଼ି ଯୋଗୁଁ ଚିଲିକାରେ ସୁରକ୍ଷା ଦୃଷ୍ଟିରୁ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

