ନ୍ୟୁଜ ଡେକ୍ସ : ବଲିଉଡର ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଳ ଶେଷରେ ସେମାନଙ୍କ ନବଜାତ ପୁଅର ନାମ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଦୀର୍ଘ ସମୟ ଧରି ପ୍ରତୀକ୍ଷା କରୁଥିବା ଫ୍ୟାନ୍ସମାନଙ୍କ ପାଇଁ ଏହା ଥିଲା ଏକ ଖୁସିର ସରପ୍ରାଇଜ୍।ଜାନୁଆରୀ ୭, ବୁଧବାର ଦିନ ସୋସିଆଲ ମିଡ଼ିଆରେ ଏକ ସୁନ୍ଦର ଫଟୋ ସେୟାର କରି କ୍ୟାଟ୍ରିନା ଓ ଭିକି ସେମାନଙ୍କ ପୁଅର ନାମ ପ୍ରକାଶ କରିଥିଲେ।
ଫଟୋଟିରେ ଦୁହେଁ ଦମ୍ପତି ନିଜ ପୁଅର ଛୋଟ ହାତ ଧରିଥିବା ଦେଖାଯାଉଛି। ଯଦିଓ ପୁଅର ମୁହଁ ଦେଖାଯାଇନଥିଲା, ତଥାପି ଫଟୋଟି ଦେଖି ପ୍ରଶଂସକମାନେ ଭାବୁକ ହୋଇପଡ଼ିଥିଲେ।ଏହି ଦମ୍ପତି ସେମାନଙ୍କ ପୁଅର ନାମ ‘ବିହାନ୍ କୌଶଳ’ ରଖିଛନ୍ତି। ‘ବିହାନ୍’ ଶବ୍ଦର ଅର୍ଥ ହେଉଛି ସକାଳ ଏବଂ ଏକ ନୂତନ ଆରମ୍ଭ, ଯାହା ଦମ୍ପତିଙ୍କ ଜୀବନର ଏହି ନୂଆ ଅଧ୍ୟାୟକୁ ପ୍ରତିବିମ୍ବିତ କରେ। ଫଟୋ ସହ କ୍ୟାଟ୍ରିନା ଲେଖିଥିବା କ୍ୟାପସନ୍ ମଧ୍ୟ ପ୍ରଶଂସକଙ୍କ ହୃଦୟ ଛୁଇଁଥିଲା। ସେ ଲେଖିଥିଲେ, “ଆମ ଆଲୋକର କିରଣ… ବିହାନ୍ କୌଶଳ। ପ୍ରାର୍ଥନାର ଉତ୍ତର ମିଳିଛି, ଜୀବନ ଆଉ ଅଧିକ ସୁନ୍ଦର ହୋଇଗଲା।”
ଉଲ୍ଲେଖନୀୟ ଯେ, କ୍ୟାଟ୍ରିନା କୈଫ୍ ନଭେମ୍ବର ୭, ୨୦୨୫ ରେ ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇ ମାତୃତ୍ୱର ସ୍ୱାଦ ନେଇଥିଲେ। ୪୨ ବର୍ଷ ବୟସରେ ମା ହେବା ପରେ ସେ ଲାଇମଲାଇଟ୍ ଠାରୁ ଦୂରେ ରହି ପରିବାର ସହ ସମୟ କାଟୁଛନ୍ତି।ପୋଷ୍ଟ ପ୍ରକାଶ ପାଉଥିବା ସହିତ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସ୍ରୋତ ବହିଯାଇଥିଲା। ଅନେକ ସେଲିବ୍ରିଟି ଓ ପ୍ରଶଂସକ ମନ୍ତବ୍ୟ ବିଭାଗରେ କ୍ୟାଟ୍ରିନା ଓ ଭିକିଙ୍କୁ ଅଭିନନ୍ଦନ ଜଣାଇଥିଲେ।

