ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବଶ୍ୟକ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସମ୍ପୂର୍ଣ୍ଣ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି। ଆସନ୍ତା ୨୭ ତାରିଖରୁ ଓଜେଇଇ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ଏହି କ୍ୟାଲେଣ୍ଡର ଅନୁଯାୟୀ, ଓଜେଇଇ ପରୀକ୍ଷା ମେ ୧୧ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ପରୀକ୍ଷା ପରେ ମେ ୩୧ ତାରିଖରେ ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରୀକ୍ଷା ମାଧ୍ୟମରେ ରାଜ୍ୟର ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ପାଇଁ ମେରିଟ୍ ତାଲିକା ପ୍ରସ୍ତୁତ କରାଯାଏ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଗତ ୨୨ ତାରିଖରେ ହୋଇଥିବା ପଲିସି ପ୍ଲାନିଂ ବଡି ବୈଠକରେ ଏହି ଓଜେଇଇ କ୍ୟାଲେଣ୍ଡରକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ପୂର୍ବରୁ ନିଜ ଶିକ୍ଷାଗତ ପ୍ରସ୍ତୁତି ଯୋଜନା କରିପାରିବେ।ଓଜେଇଇ ପରୀକ୍ଷା ଅନ୍ତର୍ଗତ ବି ଫାର୍ମା, ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଡେଟ୍ ଏମ୍ବିଏ, ବି କ୍ୟାଟ୍, ନର୍ସିଂ, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ଆର୍କ, ଏମ୍ପ୍ଲାନ୍, ଏମ୍ଫାର୍ମା ସହ ଲାଟେରାଲ୍ ଏଣ୍ଟ୍ରି ଟୁ ବିଟେକ୍ ଓ ବି ଫାର୍ମା କୋର୍ସରେ ନାମଲେଖା ପାଇଁ ପରୀକ୍ଷା ହେବ।ଫଳାଫଳ ପ୍ରକାଶ ପରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଏମ୍ବିବିଏସ୍, ବିଡିଏସ୍, ବିଏଏମ୍ଏସ୍ ଓ ବିଏଚ୍ଏମ୍ଏସ୍ କୋର୍ସକୁ ଛାଡ଼ି ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ।
ସେହିପରି, ଜୁନ୍ ପ୍ରଥମ ରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦ୍ୱିତୀୟ ଓଜେଇଇ ଓ ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ପରୀକ୍ଷା ମାଧ୍ୟମରେ ବି ଟେକ୍, ବି ଫାର୍ମା ଓ ଲାଟେରାଲ୍ ଏଣ୍ଟ୍ରି ଇନ୍ ବିଟେକ୍/ଏମ୍ବିଏ/ଏମ୍ସିଏ କୋର୍ସରେ ନାମଲେଖା ହେବ। ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା ଜୁନ୍ ୨୫ ରୁ ୩୦ ତାରିଖ ମଧ୍ୟରେ କରାଯିବାକୁ ଯୋଜନା ହୋଇଛି।ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ସମସ୍ତ ପ୍ରକାର କାଉନସେଲିଂ ପ୍ରକ୍ରିୟା ଜୁଲାଇ ୨୧ ତାରିଖ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀମାନେ ସମୟରେ ନିଜ ନାମଲେଖା ସମ୍ପନ୍ନ କରି ନୂଆ ଶିକ୍ଷାବର୍ଷ ଆରମ୍ଭ କରିପାରିବେ।

