Sun. Feb 22nd, 2026

ନ୍ୟୁଜ ଡେକ୍ସ : ଟେଲିଭିଜନ ଜଗତର ଜଣେ ଲୋକପ୍ରିୟ ଏବଂ ସଫଳ ଅଭିନେତ୍ରୀ ଭାବେ ପରିଚିତ ରଶ୍ମୀ ଦେଶାଇ ନିକଟରେ ତାଙ୍କ ଜୀବନର ଗଭୀର ଏବଂ କଷ୍ଟଦାୟକ ଅଧ୍ୟାୟ ବିଷୟରେ ଖୋଲାମେଳା କଥା ରଖିଛନ୍ତି। ‘ଉତ୍ତରନ’, ‘ଦିଲ୍ ସେ ଦିଲ୍ ତକ୍’ ଭଳି ସୁପରହିଟ୍ ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିବା ରଶ୍ମୀ କହିଛନ୍ତି ଯେ ସେ ପ୍ରାୟ ଆଠ ବର୍ଷ ଧରି ଡିପ୍ରେସନ ସହିତ ଲଢ଼େଇ କରିଛନ୍ତି।

ଏକ ସାମ୍ପ୍ରତିକ ସାକ୍ଷାତକାରରେ ରଶ୍ମୀ ନିଜ ଅନୁଭବ ସେୟାର କରି କହିଛନ୍ତି ଯେ ଅତ୍ୟଧିକ ଭାବପ୍ରବଣ ସ୍ୱଭାବ ହେତୁ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିଥିଲା। ବାହାରୁ ସଫଳତା ଦେଖାଯାଉଥିଲେ ମଧ୍ୟ ଭିତରେ ସେ ଗଭୀର ଅବସାଦରେ ଜୀବନ କାଟୁଥିଲେ। ସେ କହିଛନ୍ତି, “ଏକ ସମୟ ଥିଲା ଯେତେବେଳେ ମୁଁ ମୋ ମନରେ ଅନେକ ବୋଝ ବୋହି ଚାଲିଥିଲି। ନିଜକୁ ପୁଣି ଗଢ଼ିବା ଏବଂ ନୂଆଭାବେ ଆରମ୍ଭ କରିବାକୁ ବର୍ଷ ବର୍ଷ ସମୟ ଲାଗିଗଲା।” ରଶ୍ମୀଙ୍କ କହିବା ଅନୁଯାୟୀ, କାମ ତାଙ୍କ ପାଇଁ ଧୀରେ ଧୀରେ ଆରୋଗ୍ୟର ମାର୍ଗ ହୋଇଉଠିଲା।

“କାମ ମୋତେ ଶାନ୍ତି ଦିଏ, ଏହା ମୋର ପଳାୟନ ଥିଲା—ଯାହାକୁ ମୁଁ ଅଳ୍ପ ଡେରିରେ ବୁଝିପାରିଲି,” ବୋଲି ସେ କହିଛନ୍ତି। ଆଜି ସେ ମାନସିକ ଓ ବୃତ୍ତିଗତ ଦୁହିଁ ପାର୍ଶ୍ୱରେ ସନ୍ତୁଳନ ରଖି ଆଗକୁ ବଢ଼ୁଛନ୍ତି ବୋଲି ମଧ୍ୟ ରଶ୍ମୀ ଉଲ୍ଲେଖ କରିଛନ୍ତି।ଦୀର୍ଘ ସମୟର ଏହି ସଂଘର୍ଷ ସହଜ ନଥିଲା ବୋଲି ସେ ମାନିଛନ୍ତି, କିନ୍ତୁ ହାର ନ ମାନି ନିଜ ମାନସିକ ସ୍ୱାସ୍ଥ୍ୟକୁ ପୁନର୍ବାର ଠିକ୍ ପଥରେ ଆଣିପାରିଥିବାରୁ ସେ ଆଜି ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଛନ୍ତି।ଉଲ୍ଲେଖନୀୟ ଯେ, ରଶ୍ମୀ ଦେଶାଇ ‘ବିଗ୍ ବସ୍ ୧୩’, ‘ଖତରୋଁ କେ ଖିଲାଡି ୬’, ‘ନାଚ୍ ବଲିୟେ ୭’ ଓ ‘ଝଲକ୍ ଦିଖଲା ଜା ୭’ ଭଳି ଲୋକପ୍ରିୟ ରିଆଲିଟି ଶୋ’ରେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି। ତାଙ୍କର ଏହି ସତ୍ୟ ଖୋଲାସା ମାନସିକ ସ୍ୱାସ୍ଥ୍ୟ ନେଇ ସଚେତନତା ସୃଷ୍ଟି କରିବାରେ ନିଶ୍ଚିତ ଭାବେ ଏକ ନୂଆ ଦିଗ ଦେବ।

Leave a Reply

Your email address will not be published. Required fields are marked *