ନ୍ୟୁଜ ଡେକ୍ସ : ୨୦୨୪ରେ ‘ଡଙ୍କି’ ପରେ ବଡ ପରଦାରୁ ଦୂରେଇ ରହିଥିବା ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଏବେ ତାଙ୍କ ଅପକମିଙ୍ଗ ଫିଲ୍ମ ‘କିଙ୍ଗ’କୁ ନେଇ ପୁଣିଥରେ ଚର୍ଚ୍ଚାରେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ବିଗ୍ ବଜେଟ୍ ଫିଲ୍ମ ୨୦୨୬ରେ ପରଦାକୁ ଆସିବ ବୋଲି ନିଶ୍ଚିତ ହୋଇଥିବା ବେଳେ, ଏବେ ତାହାର ରିଲିଜ ସମୟକୁ ନେଇ ମଧ୍ୟ ସଙ୍କେତ ମିଳିଛି।ରିପୋର୍ଟ ମୁତାବକ, ରଣବୀର କାପୁରଙ୍କ ମହାକାଙ୍କ୍ଷୀ ‘ରାମାୟଣ’ ଫିଲ୍ମ ରିଲିଜ ହେବାର ପ୍ରାୟ ୪୫ ଦିନ ପରେ ‘କିଙ୍ଗ’ ଥିଏଟର୍ସକୁ ଆସିବ।
ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ, ମେକର୍ସ ଡିସେମ୍ବର ୨୫, ୨୦୨୬କୁ ଫିଲ୍ମର ଅନ୍ତିମ ରିଲିଜ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ଡିସେମ୍ବର ୪ ରୁ ୨୫ ମଧ୍ୟରେ ରିଲିଜ କରିବା ଯୋଜନା ଥିଲେ ମଧ୍ୟ, ଏବେ କ୍ରିସମାସ ରିଲିଜ ଉପରେ ମୋହର ବାଜିଛି। କ୍ରିସମାସ ସମୟରେ ବଡ ଫିଲ୍ମ ରିଲିଜ ନ ଥିବାରୁ ‘କିଙ୍ଗ’ ପାଇଁ ବକ୍ସଅଫିସରେ ବଡ ସୁଯୋଗ ରହିବ ବୋଲି ଆଶା କରାଯାଉଛି। ଆକ୍ସନ, ଡ୍ରାମା ଏବଂ ଷ୍ଟାର ପାୱାରର ଶକ୍ତିଶାଳୀ ସମ୍ମିଶ୍ରଣ ଥିବା ଏହି ଫିଲ୍ମ ଶାହାରୁଖଙ୍କ କ୍ୟାରିୟରର ଆଉ ଗୋଟିଏ ମାଇଲ୍ଷ୍ଟୋନ୍ ହେବ ବୋଲି ଚର୍ଚ୍ଚା ଚାଲିଛି।ଫିଲ୍ମର ଆଉ ଗୋଟିଏ ବଡ ଆକର୍ଷଣ ହେଉଛି ଶାହାରୁଖଙ୍କ ସହ ତାଙ୍କ ଝିଅ ସୁହାନା ଖାଁଙ୍କ ଅଭିନୟ।
ବାପା–ଝିଅଙ୍କ ଏହି ପ୍ରଥମ ବଡ ପରଦା ଯୁଗଳବନ୍ଧୀକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି। ଏହା ସହିତ ଦୀପିକା ପାଦୁକୋନ, ଅନୀଲ କାପୁର, ରାଣୀ ମୁଖର୍ଜୀ, ଅଭିଷେକ ବଚ୍ଚନ ଓ ଅରଶାଦ ୱାରସୀ ଭଳି ଶକ୍ତିଶାଳୀ କାସ୍ଟ ଫିଲ୍ମକୁ ଆହୁରି ଆକର୍ଷଣୀୟ କରିଛି। ଦୀର୍ଘ ଅପେକ୍ଷା ପରେ ‘କିଙ୍ଗ’ ଜରିଆରେ ଶାହାରୁଖ ଖାଁ ପୁଣିଥରେ ବକ୍ସଅଫିସରେ ନିଜ ରାଜତ୍ୱ ସାବିତ କରିବେ ବୋଲି ଦର୍ଶକ ଓ ବ୍ୟବସାୟ ବିଶେଷଜ୍ଞମାନେ ଆଶା ରଖିଛନ୍ତି।

