ନ୍ୟୁଜ ଡେକ୍ସ : ଜାନୁଆରୀ ୨୩ରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ବର୍ଡର–୨’କୁ ନେଇ ପଞ୍ଜାବୀ ଗାୟକ ଓ ଅଭିନେତା ଦିଲଜିତ୍ ଦୋସାଞ୍ଝ ଏକ ଭାବପ୍ରବଣ ନୋଟ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ସେ ୫୮ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରି ନିଜ ପିଲାଦିନର ସ୍ମୃତି, ସଂଘର୍ଷ ଓ ଦେଶପ୍ରେମର ଅନୁଭୂତିକୁ ଭାଗ କରିଛନ୍ତି।ଦିଲଜିତ୍ କହିଛନ୍ତି ଯେ ୧୯୯୭ ମସିହାରେ ପ୍ରଥମ ‘ବର୍ଡର’ ଫିଲ୍ମ ରିଲିଜ୍ ହେବା ସମୟରେ ସେ ଅତ୍ୟନ୍ତ ଛୋଟ ଥିଲେ।
ସେତେବେଳେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ସିନେମା ହଲରେ ଫିଲ୍ମଟି ଦେଖିପାରି ନଥିଲେ। ଗାଁର ଅନେକ ସାଙ୍ଗ ସହରକୁ ଯାଇ ଫିଲ୍ମ ଦେଖିଥିବା ବେଳେ, ସେ ବହୁଦିନ ପରେ ଏହାକୁ ଭିସିଆରରେ ଦେଖିଥିଲେ।ସେ କହିଛନ୍ତି, ‘ବର୍ଡର’ ଦେଖିବା ପରେ ସେ ପ୍ରଥମଥର ସୈନିକମାନଙ୍କ ତ୍ୟାଗ ଓ ସଂଘର୍ଷ ବିଷୟରେ ଭଲଭାବେ ଜାଣିପାରିଥିଲେ। ତାଙ୍କ କାକା ଜଣେ ସୈନିକ ଥିବାରୁ ପିଲାଦିନରୁ ସେ ସେନା ଓ ଦେଶ ପ୍ରତି ଅପାର ସମ୍ମାନ ରଖିଆସୁଛନ୍ତି। ‘ବର୍ଡର–୨’ର ସୁଟିଂ ସମୟରେ ଯେତେବେଳେ ସେ ରୋଡୱେଜ୍ ବସ୍ରେ ଯାତ୍ରା କରୁଥିଲେ, ସେତେବେଳେ ତାଙ୍କ ବାପାଙ୍କ ସ୍ମୃତି ମନେ ପଡ଼ିଥିଲା।
ଦିଲଜିତ୍ଙ୍କ ବାପା ରୋଡୱେଜ୍ ବିଭାଗରେ କାମ କରୁଥିଲେ। ଏହି ସ୍ମୃତିଗୁଡ଼ିକ ତାଙ୍କୁ ଭାବୁକ କରିଦେଇଥିଲା ବୋଲି ସେ କହିଛନ୍ତି।ଦିଲଜିତ୍ ଆହୁରି କହିଛନ୍ତି ଯେ ଗାଁର ଅନେକ ପୁଅ ସହରକୁ ଯାଇ ‘ବର୍ଡର’ ଦେଖିଥିଲେ, କିନ୍ତୁ ସେ ଟଙ୍କା ନଥିବାରୁ ଯାଇପାରି ନଥିଲେ। ସେହି ସମୟରେ ତାଙ୍କ ମନରେ ଯେ ଦେଶପ୍ରେମର ଭାବନା ଜାଗ୍ରତ ହୋଇଥିଲା, ତାହା ଆଜି ମଧ୍ୟ ସେହିପରି ରହିଛି।ତାଙ୍କ ପାଇଁ ‘ବର୍ଡର–୨’ର ଅଂଶ ହେବା ଏକ ସ୍ୱପ୍ନ ସତ ହେବା ସମାନ ବୋଲି ଦିଲଜିତ୍ ଦୋସାଞ୍ଝ କହିଛନ୍ତି।

