Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିବା ଜଣେ ଯୁବକକୁ ରାଜସ୍ଥାନ ପୋଲିସ ଗିରଫ କରିଛି। ଧରାପଡ଼ିଥିବା ଯୁବକର ପରିଚୟ ଝାବ୍ରରାମ (୨୮) ଭାବେ ହୋଇଛି। ସେ ପୋଖରାନ ଅଞ୍ଚଳର ସାଙ୍କରା ଥାନା ଅଧୀନ ନେଦାନ ଗ୍ରାମର ବାସିନ୍ଦା।

ପୋଲିସ ସୂତ୍ର ଅନୁସାରେ, ଝାବ୍ରରାମ ଦୀର୍ଘ ସମୟ ଧରି ଭାରତୀୟ ସେନାର ବିଭିନ୍ନ ସମ୍ବେଦନଶୀଳ ଓ ଗୁପ୍ତ ସୂଚନା ପାକିସ୍ତାନକୁ ପଠାଉଥିଲା। ତାଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ଗୁଇନ୍ଦା ଏଜେନ୍ସୀ ନଜର ରଖିଥିଲା ଓ ସଠିକ୍ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।ତଦନ୍ତ ସମୟରେ ଝାବ୍ରରାମଙ୍କ ମୋବାଇଲ ଫୋନ୍‌ରୁ ପାକିସ୍ତାନୀ ସୋସିଆଲ ମିଡିଆ ହ୍ୟାଣ୍ଡଲରଙ୍କ ସହ ତାଙ୍କର ଗୁପ୍ତ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ତାଙ୍କୁ ହନିଟ୍ରାପ୍‌ରେ ଫସାଇ ଅର୍ଥଲୋଭ ଦେଖାଇ ISI ତାଙ୍କ ମାଧ୍ୟମରେ ସେନା ସମ୍ବନ୍ଧୀୟ ସୂଚନା ସଂଗ୍ରହ କରୁଥିଲା ବୋଲି ତଦନ୍ତରେ ପ୍ରକାଶ ପାଇଛି।

ରାଜ୍ୟ ପୋଲିସ ଗୁଇନ୍ଦା ଏଡିଜି ପ୍ରଫୁଲ୍ଲ କୁମାର ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ରାଜସ୍ଥାନରେ ସକ୍ରିୟ ପାକିସ୍ତାନୀ ଗୁଇନ୍ଦା ନେଟୱାର୍କ ଉପରେ ସତର୍କ ନଜର ରଖାଯାଇଛି ଏବଂ ଦେଶବିରୋଧୀ କାର୍ଯ୍ୟକଳାପରେ ଜଡିତ କାହାକୁ ମଧ୍ୟ ଛାଡ଼ାଯିବ ନାହିଁ।ଏହି ଗିରଫ ସହିତ ସୁରକ୍ଷା ଏଜେନ୍ସୀମାନେ ସୀମାନ୍ତ ଅଞ୍ଚଳରେ ଅଧିକ ସତର୍କତା ଜାରି କରିଛନ୍ତି ଏବଂ ଏହି ମାମଲାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେଥିପାଇଁ ଗଭୀର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *