ନ୍ୟୁଜ ଡେକ୍ସ : ଓଡ଼ିଆ ଗାୟିକା ଓ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ ନାୟକ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ Indian Idol ୧୬ର ଟପ୍ ଟେନ୍ରେ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶାର ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜନ୍ମିତ ଜ୍ୟୋତିର୍ମୟୀଙ୍କ ସଫଳତା ପାଇଁ ତାଙ୍କ ଜନ୍ମସ୍ଥାନ ସହ ସମଗ୍ର ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମନ୍ଦିରରେ ପରିବାର ଲୋକ, ଶୁଭେଚ୍ଛୁ ଓ ପ୍ରଶଂସକମାନେ ଅଖଣ୍ଡ ଦୀପ ଜ୍ୱାଳାଇ ପୂଜାର୍ଚ୍ଚନା କରିଛନ୍ତି।
KIIT ଓ KISS ପକ୍ଷରୁ ମଧ୍ୟ ତାଙ୍କର ବିଜୟ କାମନା କରାଯାଇଛି। ମୁମ୍ବାଇରେ ଆୟୋଜିତ ଏହି ଜାତୀୟ ମଞ୍ଚରେ ତାଙ୍କର ମନୋହର ପ୍ରଦର୍ଶନ ଜ୍ୟୋତିର୍ମୟୀଙ୍କୁ ସାରା ଓଡ଼ିଶାରେ ଘରେ ଘରେ ପରିଚିତ କରିଛି।ଜ୍ୟୋତିର୍ମୟୀଙ୍କ ପରିବାର ଖୁସି ପ୍ରକାଶ କରି କହିଛନ୍ତି ଯେ, ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ ତାଙ୍କ ବିଜୟ ପାଇଁ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରିଛି। ସ୍ଥାନୀୟ ବାସିନ୍ଦା, ସାଂସ୍କୃତିକ ସଂଗଠନ ଓ ସାଧାରଣ ଲୋକ ଫାଇନାଲ୍ରେ ତାଙ୍କ ବିଜୟ ପାଇଁ ଏକତ୍ରିତ ହୋଇ ପ୍ରାର୍ଥନା କରୁଛନ୍ତି ଓ ଅଖଣ୍ଡ ଦୀପ ଜ୍ୱାଳାଇଛନ୍ତି। ସମସ୍ତେ ଗର୍ବ ପ୍ରକାଶ କରି କହିଛନ୍ତି ଯେ, ଜ୍ୟୋତିର୍ମୟୀ ଜାତୀୟ ମଞ୍ଚରେ ଓଡ଼ିଶାକୁ ଚମକାଇ ସାରିଛନ୍ତି। ତାଙ୍କ ଅଂଶଗ୍ରହଣ ରାଜ୍ୟର ଅନେକ ଯୁବ ପ୍ରତିଭାଙ୍କୁ ପ୍ରେରଣା ଦେଇଛି।
ଉତ୍ସର୍ଗ ଓ ଆଗ୍ରହ ଥିଲେ ସ୍ଥାନୀୟ ସ୍ୱରକୁ ଜାତୀୟ ସ୍ତରକୁ ନେଇଯାଇପାରିବ ବୋଲି ସେ ପ୍ରମାଣ କରିଛନ୍ତି।ଅଚ୍ୟୁତ ସାମନ୍ତ ଜ୍ୟୋତିର୍ମୟୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, କିଟ୍ର ଜଣେ ଛାତ୍ରୀ ଇଣ୍ଡିଆନ୍ ଆଇଡଲ୍ରେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବା ନିଶ୍ଚିତ ଭାବେ କିଟ୍ ଓ ଓଡ଼ିଶା ପାଇଁ ଗର୍ବର ବିଷୟ। ସମସ୍ତେ ଜ୍ୟୋତିର୍ମୟୀଙ୍କୁ ସମର୍ଥନ କରିବାକୁ କିଟ୍ ପକ୍ଷରୁ ଅନୁରୋଧ କରାଯାଇଛି। ଫାଇନାଲ୍ ନିକଟେଇ ଆସିବା ସହ ସମଗ୍ର ଓଡ଼ିଶାରେ ତାଙ୍କ ବିଜୟ ନେଇ ଆଶା ଓ ଉତ୍ସାହ ବୃଦ୍ଧି ପାଉଛି।

