ନ୍ୟୁଜ ଡେକ୍ସ : ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଗତମାସ ୨୨ ତାରିଖରେ ଘଟିଥିବା ବଡ଼ଧରଣର ଡ଼କାୟତି ଘଟଣାରେ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି।ସୂଚନା ଅନୁସାରେ, ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରୁ ଏହି ଡ଼କାୟତି ଘଟିଥିଲା।
ଅମୂଲ୍ୟ ଜମି ବିକ୍ରି କରି ଘରେ ରଖିଥିବା ପ୍ରାୟ ୭୦ ଲକ୍ଷ ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଚୋରି ହୋଇଥିବା ବାବଦରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ତଦନ୍ତ କାଳରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଡ଼କାୟତି ପଛରେ ଅମୂଲ୍ୟଙ୍କ ୨ ଜଣ ସମ୍ପର୍କୀୟ ମୁଖ୍ୟ ଭୂମିକା ନେଇଥିଲେ। ସେମାନେ ଅମୂଲ୍ୟ ଜମି ବିକ୍ରି କରି ଟଙ୍କା ଘରେ ରଖିଥିବା ବିଷୟ ଜାଣିଥିଲେ ଏବଂ ଯୋଜନାମୂଳକ ଭାବେ ଡ଼କାୟତି କରିଥିବା ଅଭିଯୋଗ ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଚିତ୍ରସେନ ଗଣ୍ଡ, ବାବୁଲା ରଣା, ଗଣେଶ ରଣା, ଧୀରଜ୍ ଲାଇଚନ, ସିସିଏଲ କୁନାଲ, ଘାସି ହରିଜନ ଓ ଶୁକଦେବ ମୁଦୁଲି। ବାବୁଲା ରଣା ଓ ଗଣେଶ ରଣା ଅମୂଲ୍ୟଙ୍କ ସମ୍ପର୍କୀୟ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି।ଅଭିଯୁକ୍ତମାନଙ୍କ ଠାରୁ ନଗଦ ୨୧ ଲକ୍ଷ ୩୩ ହଜାର ଟଙ୍କା, ଡ଼କାୟତି ସମୟରେ ବ୍ୟବହୃତ ଏକ ଏର୍ଟିଗା କାର, ଗୋଟିଏ ସ୍କୁଟି ଓ ବହୁ ପରିମାଣର ସୁନା ଅଳଙ୍କାର ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

