Thu. Mar 5th, 2026

ନ୍ୟୁଜ ଡେକ୍ସ : କନ୍ନଡ ସୁପରଷ୍ଟାର Yashଙ୍କୁ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷାରତ ଥିବା ବେଳେ ସେମାନଙ୍କୁ ଆଉ କିଛି ଦିନ ଧୈର୍ଯ୍ୟ ଧରିବାକୁ ପଡ଼ିବ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ Toxic ମାର୍ଚ୍ଚ ୧୯ରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି। ନୂଆ ଘୋଷଣା ଅନୁଯାୟୀ ଏହି ଫିଲ୍ମଟି ଜୁନ୍ ୪ରେ ୱାର୍ଲ୍ଡ ୱାଇଡ୍ ରିଲିଜ୍ ହେବ।

ଫିଲ୍ମ ରିଲିଜ୍ ଘୁଞ୍ଚାଇବା ପଛରେ କୌଣସି ବୈଷୟିକ ତ୍ରୁଟି ନଥିବା ବେଳେ ବିଶ୍ୱ ସ୍ତରୀୟ ପରିସ୍ଥିତି ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାକୁ ମୁଖ୍ୟ କାରଣ ବୋଲି କୁହାଯାଉଛି। ୟଶ ନିଜେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମଟିକୁ କେବଳ ଭାରତୀୟ ଦର୍ଶକଙ୍କୁ ନୁହେଁ, ବରଂ ବିଶ୍ୱବ୍ୟାପୀ ପ୍ରେକ୍ଷକଙ୍କୁ ଧ୍ୟାନରେ ରଖି ନିର୍ମାଣ କରାଯାଇଛି। କନ୍ନଡ ଏବଂ ଇଂରାଜୀ ଭାଷାରେ ସୁଟିଂ ହୋଇଥିବାରୁ ଏହାର ବଜାର ମଧ୍ୟ ବିଶାଳ। ମଧ୍ୟପ୍ରାଚ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଅଶାନ୍ତି ଚାଲିଥିବାରୁ ସେଠାକାର ଦର୍ଶକମାନେ ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇପାରନ୍ତି ବୋଲି ନିର୍ମାତାମାନେ ଆକଳନ କରିଥିଲେ। ସମସ୍ତଙ୍କ ସହିତ ସଂଯୋଗ ରଖିବା ଉଦ୍ଦେଶ୍ୟରେ ଏହି କଷ୍ଟକର ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୧୯ରେ କେବଳ ଟକ୍ସିକ ନୁହେଁ, ଅନ୍ୟ ଏକ ବଡ଼ ଚଳଚ୍ଚିତ୍ର Dhurandhar 2 ମଧ୍ୟ ମୁକ୍ତିଲାଭ କରିବାକୁ ଥିଲା। ଏହି ଦୁଇଟି ଫିଲ୍ମ ମଧ୍ୟରେ ଜୋରଦାର ଟକ୍କର ହେବାର ସମ୍ଭାବନା ନେଇ ସିନେ ସମୀକ୍ଷକମାନେ ଆକଳନ କରୁଥିଲେ। ଦୁଇଟି ବଡ଼ ଫିଲ୍ମ ଏକାସାଙ୍ଗେ ମୁକ୍ତିଲାଭ କରିଥାନ୍ତା ହେଲେ ଫ୍ୟାନ୍ସମାନେ ବିଭାଜିତ ହୋଇପାରନ୍ତି ଏବଂ ବକ୍ସ ଅଫିସ କଲେକ୍ସନରେ ପ୍ରଭାବ ପଡ଼ିପାରିଥାନ୍ତା। ଟକ୍ସିକର ରିଲିଜ୍ ଘୁଞ୍ଚିଯିବା ସହ ଏହି ସମ୍ଭାବ୍ୟ ଟକ୍କର ଟଳିଯାଇଛି।ୟଶ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ବର୍ଷବର୍ଷର ପରିଶ୍ରମ ପରେ ମାର୍ଚ୍ଚରେ ଫିଲ୍ମ ଆଣିବାକୁ ସେ ଖୁବ୍ ଉତ୍ସାହିତ ଥିଲେ।

କିନ୍ତୁ ବିଶ୍ୱ ଦର୍ଶକଙ୍କ ସ୍ୱାର୍ଥ ଓ ସହଯୋଗୀମାନଙ୍କ ହିତକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନେବାକୁ ପଡ଼ିଲା। ଜୁନ୍ ୪ରେ ଫିଲ୍ମଟି ଇଂରାଜୀ ଓ ହିନ୍ଦୀ ସହ ବିଭିନ୍ନ ଭାଷାରେ ବିଶ୍ୱସ୍ତରରେ ମୁକ୍ତିଲାଭ କରିବ। ଯଦିଓ ରିଲିଜ୍ ତାରିଖ ପଛକୁ ସରିବାରୁ ଫ୍ୟାନ୍ସମାନେ କିଛି ନିରାଶ ହୋଇଛନ୍ତି, ତଥାପି ଫିଲ୍ମର ଗୁଣବତ୍ତା ଓ ବିଶ୍ୱବ୍ୟାପୀ ପହଞ୍ଚ ବଜାୟ ରଖିବା ପାଇଁ ଏହାକୁ ଜରୁରୀ ପଦକ୍ଷେପ ବୋଲି ମନେ କରାଯାଉଛି। ଏବେ ସମସ୍ତଙ୍କ ନଜର ଜୁନ୍ ୪ ଉପରେ ରହିଛି, ଯେତେବେଳେ ୟଶ ପୁଣିଥରେ ପରଦାରେ ନିଜର ଜଲୱା ଦେଖାଇବେ।

Leave a Reply

Your email address will not be published. Required fields are marked *