Sun. Apr 19th, 2026

ନ୍ୟୁଜ ଡେକ୍ସ : ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର ଭାବେ ପରିଚିତ ହୋଇଛି। ବିଶ୍ୱରେ ଆମଦାନୀ ହେଉଥିବା ମୋଟ ଅସ୍ତ୍ରଶସ୍ତ୍ରର ପ୍ରାୟ ୮ ପ୍ରତିଶତ ଭାଗ ଭାରତ କ୍ରୟ କରୁଥିବା କଥା ସ୍ୱିଡେନର ସଂସ୍ଥା ସିପ୍ରି (ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍) ପକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟରେ ଉଲ୍ଲେଖ ହୋଇଛି।

ରିପୋର୍ଟ ଅନୁସାରେ, ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନ ସହ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତକୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାକୁ ପଡୁଛି। ତଥାପି ‘ଆତ୍ମନିର୍ଭର ଭାରତ’ ଯୋଜନା ଅନୁଯାୟୀ ଦେଶରେ ଅସ୍ତ୍ର ଉତ୍ପାଦନକୁ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତଥାପି ଦେଶୀୟ ଉତ୍ପାଦନ ସମ୍ପୂର୍ଣ୍ଣ ଆବଶ୍ୟକତା ପୂରଣ କରିପାରୁନାହିଁ।ଭାରତ ନିକଟରେ ଫ୍ରାନ୍ସ ସହ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି କରିଥିବାବେଳେ ଜର୍ମାନୀରୁ ୬ଟି ବୁଡାଜାହାଜ କିଣିବା ଯୋଜନା ରଖିଛି। ତଥାପି ୨୦୧୬-୨୦୨୦ ଓ ୨୦୨୧-୨୦୨୫ ମଧ୍ୟରେ ଭାରତର ଅସ୍ତ୍ର ଆମଦାନୀ ପ୍ରାୟ ୪ ପ୍ରତିଶତ କମିଥିବା ରିପୋର୍ଟରେ ଦର୍ଶାଯାଇଛି।ଅସ୍ତ୍ର ଆମଦାନୀ ତାଲିକାରେ ୟୁକ୍ରେନ ପ୍ରଥମ ସ୍ଥାନରେ ରହିଛି।

୨୦୨୧ରୁ ୨୦୨୫ ମଧ୍ୟରେ ୟୁକ୍ରେନ ପ୍ରାୟ ୯.୭ ପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନୀ କରିଛି। ଭାରତକୁ ଅସ୍ତ୍ର ଯୋଗାଣକାରୀ ଦେଶମାନଙ୍କ ମଧ୍ୟରେ ରୁଷ୍ ସର୍ବପ୍ରଥମେ ରହିଛି। ରୁଷ୍ ଭାରତର ମୋଟ ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ଅସ୍ତ୍ର ଯୋଗାଇଥାଏ। ଏହାପରେ ଫ୍ରାନ୍ସ ୨୯ ପ୍ରତିଶତ ଓ ଇସ୍ରାଏଲ ୧୫ ପ୍ରତିଶତ ଅସ୍ତ୍ର ଯୋଗାଣ କରୁଛନ୍ତି। କିନ୍ତୁ ଆତ୍ମନିର୍ଭର ଭାରତ ଯୋଜନା ପରେ ରୁଷ୍ ଠାରୁ ଅସ୍ତ୍ର ଆମଦାନୀ ହ୍ରାସ ପାଇଥିବା କୁହାଯାଇଛି।ଅନ୍ୟପଟେ ୨୦୧୬ରୁ ୨୦୨୫ ମଧ୍ୟରେ ପାକିସ୍ତାନର ଅସ୍ତ୍ର ଆମଦାନୀ ୬୬ ପ୍ରତିଶତ ବୃଦ୍ଧି ପାଇଛି।

୨୦୧୬-୨୦୨୦ ମଧ୍ୟରେ ପାକିସ୍ତାନକୁ ଚୀନ ପକ୍ଷରୁ ୮୦ ପ୍ରତିଶତ ଅସ୍ତ୍ର ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୦୨୫ ମଧ୍ୟରେ ଏହା ୭୩ ପ୍ରତିଶତ ରହିଛି।୨୦୨୬-୨୭ ବଜେଟରେ ଭାରତ ପ୍ରତିରକ୍ଷା କ୍ଷେତ୍ର ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛି। ଏଥିରୁ ଲଢୁଆ ବିମାନ, ହେଲିକପ୍ଟର, ବୁଡାଜାହାଜ, ତୋପ, କ୍ଷେପଣାସ୍ତ୍ର, ରକେଟ ଓ ଡ୍ରୋନ କ୍ରୟ ପାଇଁ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରସ୍ତାବ ରହିଛି।

Leave a Reply

Your email address will not be published. Required fields are marked *