Mon. Apr 20th, 2026

ନ୍ୟୁଜ ଡେକ୍ସ : ୨୦୨୬ ମସିହାର ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ଡ୍ରାଫ୍ଟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ବଡ଼ଦାଣ୍ଡରେ ଅଇଁଠା ପତ୍ର, ପାଣି ବୋତଲ ଓ ଅନ୍ୟାନ୍ୟ ଅବଶିଷ୍ଟ ପଡ଼ି ଅସ୍ୱଚ୍ଛତା ସୃଷ୍ଟି ହେବ ନାହିଁ।ତେବେ ବଡ଼ଦାଣ୍ଡ ସଂଲଗ୍ନ ଅନ୍ୟ ଗଳିରେ ଆଗୁଆ ଅନୁମତି ନେଇ ଶ୍ରଦ୍ଧାଳୁମାନେ ଖାଦ୍ୟ ବଣ୍ଟନ କରିପାରିବେ।

ସହରର ବିଭିନ୍ନ ଗଳିରାସ୍ତା, ବଡ଼ଦାଣ୍ଡ ଓ ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସଫେଇ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଆଗରୁ ଅନୁମତି ନେବାକୁ ପଡ଼ିବ। ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ସ୍ୱଚ୍ଛତା ଉପରେ ବିଶେଷ ଫୋକସ୍ ଦିଆଯାଇଛି।ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଆଗୁଆ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଡ୍ରାଫ୍ଟ ଆକ୍ସନ ପ୍ଲାନରେ ପ୍ରୟାପ୍ତ ଟଏଲେଟ୍ ବ୍ୟବସ୍ଥା ରହିଛି। ଗତଥର ୫୯୪ଟି ଅସ୍ଥାୟୀ ଟଏଲେଟ୍ ସ୍ଥାପନ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ହଜାରେ ଟଏଲେଟ୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସର ସମଗ୍ର ଇନ୍-ଚାର୍ଜ ଦାୟିତ୍ୱ ଦିଆଯାଇଛି।

ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପାଇଁ ବିଭିନ୍ନ ପୁଲିସ ଟିମ୍ ଗଠନ କରିବାକୁ ତାଙ୍କୁ ଚିଠି ହୋଇଛି।ରଥଯାତ୍ରା ସମୟରେ ଏକ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର୍ ମଧ୍ୟ ସ୍ଥାପନ କରାଯିବ। ବଡ଼ଦାଣ୍ଡ ଓ ସମୁଦ୍ରକୂଳ ଅଞ୍ଚଳ ସହ ପୁରୀ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ସିସିଟିଭି ନଜରରେ ରହିବ। ଉତ୍ତରାଛକରୁ ପୁରୀ ଓ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ରାସ୍ତାରେ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *