ନ୍ୟୁଜ ଡେକ୍ସ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ସେ ସ୍ୱୟଂ ସାମ୍ନାକୁ ଆସି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି ଯେ ସେ ଜୀବିତ ଅଛନ୍ତି ଏବଂ ଏହିପରି ଗୁଜବକୁ ପରିହାସ କରିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ନେତାନ୍ୟାହୁ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲର ସଫଳତାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଇରାନ ଏବେ ଆଉ ୟୁରାନିୟମ ସମୃଦ୍ଧ କରିପାରିବ ନାହିଁ କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିର୍ମାଣ କରିପାରିବ ନାହିଁ।
ସେ ଦାବି କରିଛନ୍ତି ଯେ ୨୦ ଦିନର ଯୁଦ୍ଧ ପରେ ଇସ୍ରାଏଲ ବିଜୟ ହାସଲ କରିଛି ଏବଂ ଇରାନର ସାମରିକ କ୍ଷମତା ବିଶେଷ କରି ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଛତି ପହଞ୍ଚିଛି।ନେତାନ୍ୟାହୁ କହିଛନ୍ତି ଯେ ଇରାନ ପୂର୍ବପେକ୍ଷା ଅଧିକ ଦୁର୍ବଳ ହୋଇପଡ଼ିଛି, ଯେତେବେଳେ ଇସ୍ରାଏଲ ଏକ ଶକ୍ତିଶାଳୀ ଆଞ୍ଚଳିକ ଶକ୍ତି ଭାବେ ଉଭୁ ହୋଇଛି। ସେ ଆହୁରି କହିଛନ୍ତି ଯେ ଇସ୍ରାଏଲ ଓ ଆମେରିକା ମିଶି ସମଗ୍ର ମଧ୍ୟପ୍ରାଚ୍ୟ ଓ ବିଶ୍ୱର ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି।ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ କ୍ଷମତା ଦୁର୍ବଳ ହେଉଥିବା ବେଳେ ସେଗୁଡ଼ିକୁ ସମୂଳେ ଧ୍ୱଂସ କରିବାକୁ ଇସ୍ରାଏଲ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ଭବିଷ୍ୟତରେ ଇରାନ ବିରୋଧରେ ଭୂମି ସାମରିକ ଅଭିଯାନ ସମ୍ଭାବନା ବିଷୟରେ ସେ କହିଛନ୍ତି ଯେ ଏପରି ଅନେକ ବିକଳ୍ପ ରହିଛି, କିନ୍ତୁ ସେ ସେଗୁଡ଼ିକୁ ଖୋଲାମେଳା ଭାବେ ପ୍ରକାଶ କରିବାକୁ ଇଚ୍ଛା କରୁନାହାନ୍ତି।ଇରାନର ଭବିଷ୍ୟତ ନେତୃତ୍ୱ ବିଷୟରେ ସେ କହିଛନ୍ତି ଯେ ଏହା ନେଇ କିଛି କହିବାକୁ ଏଖନ ବହୁତ ଶୀଘ୍ର ହେବ ଏବଂ ଏହି ଦାୟିତ୍ୱ ଇରାନର ଲୋକମାନଙ୍କ ଉପରେ ନିର୍ଭର କରିଥାଏ।

