ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଦେଶ ଓ ରାଜ୍ୟରେ ରନ୍ଧନ ଗ୍ୟାସ୍ ଅଭାବ ଦିନକୁ ଦିନ ଗଭୀର ହେଉଛି । ଏହାସହ ଗ୍ୟାସ୍ ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ପାଇଁ ରୋଷେଇ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ଗରିବ ଓ ଆବଶ୍ୟକତାମାନଙ୍କ ପାଇଁ ଭରସା ହୋଇଉଠିଛି ସରକାରୀ ଆହାର କେନ୍ଦ୍ର ।
ଗ୍ୟାସ୍ ସଂକଟ ଯୋଗୁଁ ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ହେବ ବୋଲି ଯେ ଆଶଙ୍କା ଦେଖାଦେଇଥିଲା, ସେଥିପାଇଁ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କୌଣସି ଆହାର କେନ୍ଦ୍ର ଗ୍ୟାସ୍ ଅଭାବରେ ବନ୍ଦ ହେବ ନାହିଁ ଏବଂ ସେବା ନିରବିଚ୍ଛିନ୍ନ ଭାବେ ଚାଲି ରହିବ ।ବର୍ତ୍ତମାନ ରାଜ୍ୟରେ ୯୦ଟି କେନ୍ଦ୍ରୀୟ ରୋଷେଇଶାଳ ସହାୟତାରେ ପ୍ରାୟ ୧୭୦ଟି ଆହାର କେନ୍ଦ୍ର ଚାଲୁ ରହିଛି । ଏହି କେନ୍ଦ୍ରଗୁଡ଼ିକର ନିରବିଘ୍ନ ଚାଳନା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ପରିପ୍ରେକ୍ଷିରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଏବଂ ଆହାର ସୋସାଇଟି ସଭାପତିମାନଙ୍କୁ ପତ୍ର ଲେଖି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଜ ଅଞ୍ଚଳରେ ଗ୍ୟାସ୍ ଉପଲବ୍ଧତା ସମ୍ପର୍କରେ ତୁରନ୍ତ ସମୀକ୍ଷା କରିବା ସହ ଗ୍ୟାସ୍ ଯୋଗାଣକାରୀ ଓ ବିତରକଙ୍କ ସହ ସମନ୍ୱୟ ରଖିବାକୁ କୁହାଯାଇଛି । ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ କୌଣସି ବାଧା ନ ଆସିବାକୁ ସମୟୋଚିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି ।ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗ୍ୟାସ୍ ସଂକଟ ସତ୍ତ୍ୱେ ଆହାର କେନ୍ଦ୍ରଗୁଡ଼ିକ ସାଧାରଣ ଲୋକଙ୍କୁ ନିରନ୍ତର ସେବା ଯୋଗାଇ ପାରିବ ବୋଲି ଆଶା କରାଯାଉଛି ।

