ନ୍ୟୁଜ ଡେକ୍ସ : ରାଜ୍ୟରେ ଆରମ୍ଭ ହୋଇଥିବା ଜନଗଣନା ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବାକୁ ଯାଉଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଏହି ପ୍ରକ୍ରିୟା ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ଜନଗଣନା କାର୍ଯ୍ୟକୁ ସଫଳ ଓ ସୁଚାରୁ ଭାବେ ସମାପ୍ତ କରିବା ପାଇଁ, ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଉପରେ କଡ଼ା ନିୟନ୍ତ୍ରଣ ଲାଗୁ କରାଯାଇଛି।
ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ବିଭିନ୍ନ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମର ଆୟୁକ୍ତ ତଥା ମୁଖ୍ୟ ଜନଗଣନା ଅଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଚିଠିରେ ଉଲ୍ଲେଖ ହୋଇଛି ଯେ, ଜନଗଣନା କାର୍ଯ୍ୟ ଚାଲିଥିବା ସମୟରେ କର୍ମଚାରୀଙ୍କ ବଦଳି କରାଯିବା ନୁହେଁ, ଯାହା ଦ୍ୱାରା କାମରେ କୌଣସି ବିଘ୍ନ ସୃଷ୍ଟି ହେବ ନାହିଁ। ବିଶେଷ କରି ଜନଗଣନା କାର୍ଯ୍ୟରେ ନିୟୋଜିତ ମାଷ୍ଟର ଟ୍ରେନର ଓ ଫିଲ୍ଡ ଟ୍ରେନରଙ୍କୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ବଦଳି କରାଯିବ ନାହିଁ। ସେହିପରି ସୁପରଭାଇଜର ଓ ଗଣନାକାରୀ ଭାବେ ନିଯୁକ୍ତ ଅନ୍ୟାନ୍ୟ କର୍ମଚାରୀଙ୍କ ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀଙ୍କ ପୂର୍ବାନୁମତି ପରେ ହେବ।
ଏହା ଦ୍ୱାରା କ୍ଷେତ୍ରସ୍ତରରେ ଜନଗଣନା କାର୍ଯ୍ୟର ସମନ୍ୱୟ ଓ ଗତି ଅବିଚ୍ଛିନ୍ନ ରହିବ ବୋଲି ଆଶା କରାଯାଉଛି।ଅପରପକ୍ଷେ, ଗତକାଲି ଆରମ୍ଭ ହୋଇଥିବା ସ୍ୱ-ଜନଗଣନା ପ୍ରକ୍ରିୟାରେ ଲୋକଙ୍କ ଭାଗୀଦାରି ଲକ୍ଷଣୀୟ ଭାବେ ବଢ଼ିଛି। ପ୍ରଥମ ଦିନରେ ରାଜ୍ୟର ପ୍ରାୟ ୧୭ ହଜାର ଲୋକ ସ୍ୱଇଚ୍ଛାରେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ସୂଚନା ମିଳିଛି। ଏହା ଦେଖାଉଛି ଯେ ଲୋକମାନଙ୍କ ମଧ୍ୟରେ ଜନଗଣନା ପ୍ରତି ସଚେତନତା ବଢ଼ୁଛି।ସରକାରଙ୍କ ଏହି ପଦକ୍ଷେପ ଜନଗଣନା କାର୍ଯ୍ୟକୁ ଶୃଙ୍ଖଳିତ ଓ ସମୟମାନ୍ୟ ଭାବରେ ସମାପ୍ତ କରିବାରେ ସହାୟକ ହେବ ବୋଲି ପ୍ରଶାସନିକ ମହଳରେ ମତ ପ୍ରକାଶ ପାଇଛି।

