Thu. Apr 16th, 2026

ନ୍ୟୁଜ ଡେକ୍ସ : ଉଜବେକିସ୍ତାନର ସମରକାନ୍ଦରେ ମାର୍ଚ୍ଚ ୩୦ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସେଣ୍ଟ୍ରାଲ ଏସିଆନ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରି ବ୍ରୋଞ୍ଜ ପଦକ ଜିତିଛି । ପଦକ ଲଢେଇରେ ଭାରତ ୨୫-୨୦ ଗୋଲରେ କାଜାକିସ୍ଥାନକୁ ପରାଜିତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା ।

ଏହି ପ୍ରତିଯୋଗିତାରେ ଓଡିଶାର ଯୁବ ଖେଳାଳି ସ୍ବସ୍ତିକ ମହାପ୍ରସାଦ ପତି ଉନ୍ନତ ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ନଜର ଆକର୍ଷଣ କରିଥିଲେ । ପ୍ରଶିକ୍ଷକ ଗୌରୀ ଶଙ୍କର ମିଶ୍ରଙ୍କ ତତ୍ତ୍ବାବଧାନରେ ଭାରତୀୟ ଦଳ ସୁସଂଘଟିତ ଖେଳ ଦେଖାଇ ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି ।ସୂଚନା ଯୋଗ୍ୟ, ସ୍ବସ୍ତିକ ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ଏସିଆନ ଯୁବ ହ୍ୟାଣ୍ଡବଲ ଦଳରେ ସ୍ଥାନ ପାଇ ଯୋଡାନ ଗସ୍ତ କରିଥିଲେ । ଓଡିଶାର ପ୍ରଥମ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କ ଖେଳରେ ଅନୁପ୍ରାଣିତ ହୋଇ ସେ କୋଚ୍‌ ଗୌରୀଶଙ୍କର ମିଶ୍ରଙ୍କ ନିକଟରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।

ଗତ ୨୦୨୪ ମସିହାରେ ଆର୍ଯ୍ୟନ ବ୍ରାହ୍ମିନ ମଧ୍ୟ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଥିଲେ । ଏହି ପରମ୍ପରାକୁ ଅଗ୍ରସର କରି ସ୍ବସ୍ତିକଙ୍କ ସଫଳତା ରାଜ୍ୟ ପାଇଁ ଆଉ ଏକ ଗର୍ବର କ୍ଷଣ ସୃଷ୍ଟି କରିଛି ।ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ମାନସ କୁମାର ସିଂ, କୋଷାଧ୍ୟକ୍ଷ ସିତେନ୍ଦ୍ର ନାଥ ଦାସ ଓ ଭୁବନେଶ୍ବର ହ୍ୟାଣ୍ଡବଲ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ସ୍ବସ୍ତିକ ଏବଂ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *