ନ୍ୟୁଜ ଡେକ୍ସ : ଭାରତୀୟ କ୍ରିକେଟ ଦଳର ଲୋକପ୍ରିୟ ପେସ ବୋଲର ମହମ୍ମଦ ସାମୀ ତାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ସତ୍ୱେ ଟିମ ଇଣ୍ଡିଆରେ ସ୍ଥାନ ନମିଳିବାରୁ ସାମୀଙ୍କ ଭବିଷ୍ୟତ ନେଇ ଅନେକ ଅନୁମାନ ଚାଲିଛି।ନିଜର ସୁଇଂ ବୋଲିଂ ଦ୍ୱାରା ଅନେକ ମ୍ୟାଚରେ ଦଳକୁ ବିଜୟୀ କରିଥିବା ସାମୀ କହିଛନ୍ତି ଯେ, ସେ ଏବେ ଅବସର ନେବା ବିଷୟରେ କିଛି ଭାବୁ ନାହାନ୍ତି।
“ମୋ କାମ ହେଉଛି ଭଲ ପ୍ରଦର୍ଶନ କରିବା, ଟିମରେ ନେବା କି ନେବା ନୁହେଁ ସେଥିରେ ଚୟନ କମିଟିଙ୍କ ନିଷ୍ପତ୍ତି ରହିଛି,” ବୋଲି ସେ କହିଛନ୍ତି।ସେ ଆହୁରି କହିଛନ୍ତି ଯେ, ଯେତେବେଳେ ସେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ଓ କ୍ରିକେଟରୁ ଆନନ୍ଦ ଉଠାଇପାରିବେ ନାହିଁ, ସେତେବେଳେ ସେ ଅବସର ନେବେ।
ତେବେ ଲଗାତାର ଆଘାତ ସମସ୍ୟା ସାମୀଙ୍କ କ୍ୟାରିୟରକୁ ବାରମ୍ବାର ପ୍ରଭାବିତ କରୁଛି। ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଦଳ ସାମୀଙ୍କୁ ୧୦ କୋଟି ଟଙ୍କାରେ କ୍ରୟ କରିଛି। ଏହି ପରିପ୍ରେକ୍ଷିତରେ ତାଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଆଗାମୀ ସିରିଜରେ ସେ ପୁଣିଥରେ ଟିମ ଇଣ୍ଡିଆରେ ସ୍ଥାନ ପାଇବେ କି ନାହିଁ, ସେଥିପାଇଁ ଅପେକ୍ଷା ଜାରି ରହିଛି।

