Mon. Apr 20th, 2026

ନ୍ୟୁଜ ଡେକ୍ସ : ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ବିମାନବନ୍ଦରରେ ଦୁଇଜଣ ଆମେରିକୀୟ ନାଗରିକଙ୍କୁ ସୁରକ୍ଷା କାରଣରୁ ଅଟକ ରଖାଯାଇଛି। ବିମାନବନ୍ଦରରେ ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ସେମାନଙ୍କ ଲଗେଜରୁ ଏକ ନିଷିଦ୍ଧ ଗାର୍ମିନ୍ ସାଟେଲାଇଟ୍ ଫୋନ୍/ଟ୍ରାକର ମିଳିଥିବାରୁ ସୁରକ୍ଷା କର୍ମଚାରୀମାନେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲେ।ଅଟକ ରଖାଯାଇଥିବା ଆମେରିକୀୟମାନଙ୍କ ମଧ୍ୟରୁ ଜଣେଙ୍କୁ ଜେଫ୍ରି ସ୍କଟ୍ ପ୍ରାଥର ଭାବେ ଚିହ୍ନଟ କରାଯାଇଛି।

ସେ ଆମେରିକାର ମୋଣ୍ଟାନା ରାଜ୍ୟରୁ ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲଗେଜ୍ ସ୍କାନିଂ ସମୟରେ ଗୋଟିଏ ବ୍ୟାଗରୁ ଗାର୍ମିନ୍ ସାଟେଲାଇଟ୍ ଫୋନ୍ ଚିହ୍ନଟ ହୋଇଥିଲା, ଯାହା ଭାରତରେ ନିଷିଦ୍ଧ ଶ୍ରେଣୀରେ ପଡ଼େ।ସୁରକ୍ଷା କର୍ମୀମାନେ ସନ୍ଦେହ ଜନକ ବସ୍ତୁ ମିଳିବା ସହ ସେମାନଙ୍କୁ ଅଟକାଇ ପ୍ରାରମ୍ଭିକ ପଚରାଉଚରା କରିଥିଲେ। କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଉଭୟଙ୍କୁ ପୋଲିସଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ଏବଂ ସେମାନେ କେଉଁ ଉଦ୍ଦେଶ୍ୟରେ ଶ୍ରୀନଗର ଆସିଥିଲେ ତାହା ଖୋଜାଯାଉଛି। ଏହା ଉଲ୍ଲେଖନୀୟ ଯେ ଗାର୍ମିନ୍ ପରି ସାଟେଲାଇଟ୍ ଫୋନ୍‌ଗୁଡ଼ିକୁ ଟ୍ରାକ୍ କରିବା ଅତ୍ୟନ୍ତ କଷ୍ଟକର ହେବାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ଅପବ୍ୟବହାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ହେବାର ଆଶଙ୍କା ରହେ।

ଜମ୍ମୁ ଓ କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏପରି ଘଟଣାକୁ ସୁରକ୍ଷା ଏଜେନ୍ସିମାନେ ଗଭୀରତାର ସହ ନେଇଥାନ୍ତି।ଭାରତରେ ସରକାରଙ୍କ ପୂର୍ବ ଅନୁମତି ବିନା ସାଟେଲାଇଟ୍ ଫୋନ୍ ବ୍ୟବହାର କରିବା ନିଷେଧ ଅଟେ। ନିୟମ ଅନୁଯାୟୀ, ଦେଶ ଭିତରେ ଏପରି ଯୋଗାଯୋଗ ଉପକରଣ ବହନ କିମ୍ବା ବ୍ୟବହାର ପୂର୍ବରୁ ଦୂରସଂଚାର ବିଭାଗରୁ ଲିଖିତ ଅନୁମତି ନେବା ଆବଶ୍ୟକ। ପୂର୍ବରୁ ମଧ୍ୟ ଏପରି ଘଟଣାରେ ବିଦେଶୀ ଓ ଭାରତୀୟ ନାଗରିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ଦୃଷ୍ଟାନ୍ତ ରହିଛି।ଏହି ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କରାଯାଇଛି ଓ ତଦନ୍ତର ଫଳାଫଳ ପ୍ରତି ସମସ୍ତଙ୍କ ଦୃଷ୍ଟି ରହିଛି।

Leave a Reply

Your email address will not be published. Required fields are marked *