ନ୍ୟୁଜ ଡେକ୍ସ : ଓଡ଼ିଶାରେ ଯୋଜନା ବୋର୍ଡର ପରିବର୍ତ୍ତେ ଖୁବଶୀଘ୍ର ‘SITI ଓଡ଼ିଶା’ ଗଠନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଉଛନ୍ତି। ଏହି ନୂତନ ସଂସ୍ଥା ସରକାରଙ୍କ ଏକ ଥିଙ୍କଟ୍ୟାଙ୍କ ଭାବେ କାମ କରିବ ଓ ରାଜ୍ୟର ନୀତି ନିର୍ମାଣ ଓ ବିକାଶମୂଳକ କାର୍ଯ୍ୟରେ ମୁଖ୍ୟ ଭୂମିକା ନେବ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘SITI ଓଡ଼ିଶା’ର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ଭାବେ ରହିବେ। ସେହିପରି ତାଙ୍କ ନେତୃତ୍ୱରେ ଏକ ପରିଚାଳନା ପରିଷଦ କାର୍ଯ୍ୟ କରିବ। ଦୀର୍ଘଦିନ ଧରି ରାଜ୍ୟର ଯୋଜନା ପ୍ରସ୍ତୁତ କରୁଥିବା ପୁରୁଣା ବୋର୍ଡକୁ ଆଧୁନିକ ଓ ପରିବର୍ତ୍ତିତ ଆକାରରେ ପୁନର୍ଗଠନ କରାଯାଉଛି।ଏହି ସଂସ୍ଥାର ମୂଳ ଲକ୍ଷ୍ୟ ‘ନୀତି ଓ ବିକାଶ’ ଉପରେ କେନ୍ଦ୍ରିତ ରହିବ।
ସଂଗଠନରେ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟ, ନଅଜଣ ପଦାଧିକାରୀ ଏବଂ ଦୁଇଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିବେ। ସାଂଗଠନିକ ଢାଞ୍ଚା ଅନୁଯାୟୀ, କ୍ୟାବିନେଟ୍ ମନ୍ତ୍ରୀ ପଦମର୍ଯ୍ୟାଦାର ଉପାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବେ।ରାଜ୍ୟର ସମଗ୍ର ଉନ୍ନତି ପାଇଁ ଏହି ନୂତନ ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।

