Thu. Apr 23rd, 2026

ନ୍ୟୁଜ ଡେକ୍ସ : ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିର ପରିସରରେ ଏବେ ମୋବାଇଲ୍ ଫୋନ୍ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରାଯାଇଛି। ମନ୍ଦିରର ପବିତ୍ରତା ବଜାୟ ରଖିବା ଓ ଭକ୍ତମାନଙ୍କୁ ସୁବିଧାଜନକ ଦର୍ଶନ ଯୋଗାଇବା ପାଇଁ ମନ୍ଦିର କମିଟି ଏହି ନିଷ୍ପତ୍ତି ନେଇଛି।ମନ୍ଦିର କମିଟି ସଦସ୍ୟ ବିନୀତ ପୋଷ୍ଟି ସ୍ପଷ୍ଟ କରିଛନ୍ତି ଯେ, ମନ୍ଦିର ପରିସରକୁ କୌଣସି ଭକ୍ତ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ।

ଫଟୋ ଉଠାଇବା, ଭିଡିଓ ରେକର୍ଡ କରିବା କିମ୍ବା ସୋସିଆଲ ମିଡିଆ ପାଇଁ ରିଲ୍ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ ରହିଛି। ଯେଉଁମାନେ ଏହି ନିୟମ ଭଙ୍ଗ କରିବେ, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମନ୍ଦିର ପ୍ରଶାସନ ସମସ୍ତ ଭକ୍ତଙ୍କୁ ନିୟମ ପାଳନ କରିବାକୁ ଏବଂ ଧାର୍ମିକ ସ୍ଥଳର ମର୍ଯ୍ୟାଦା ରକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରିଛି। ସମ୍ପ୍ରତି ଭିଡ଼ ବୃଦ୍ଧି ଓ ମୋବାଇଲ୍ ବ୍ୟବହାର ବଢ଼ିବାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି, ଯାହା ଦ୍ୱାରା ଭକ୍ତମାନେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ।

ଏହା ସହିତ ଆସନ୍ତା ୨୨ ଏପ୍ରିଲ୍ ସକାଳ ୮ଟାରେ ମନ୍ଦିର ଦ୍ୱାର ଖୋଲିବାକୁ ଯାଉଛି। ଏହା ପୂର୍ବରୁ ପରମ୍ପରାନୁସାରେ ଗୌରୀକୁଣ୍ଡରୁ ପାଲକି ଯାତ୍ରା ଆରମ୍ଭ ହୋଇଛି। ପାଲକି କେଦାରନାଥରେ ପହଞ୍ଚିବା ପରେ ମନ୍ଦିର ଦ୍ୱାର ଖୋଲାଯିବ ଏବଂ ତାହା ପରେ ଭକ୍ତମାନଙ୍କ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ।ଏହି ନୂତନ ନିୟମ ମାଧ୍ୟମରେ ମନ୍ଦିର ପରିସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *