ନ୍ୟୁଜ ଡେକ୍ସ : ଡିଜିଟାଲ ଯୁଗରେ ଅଟୋ ପେମେଣ୍ଟ ଉପରେ ନିର୍ଭରଶୀଳ ଗ୍ରାହକଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ସୁବିଧା ଆଣିଛି। OTP ବିଳମ୍ବ କିମ୍ବା ନେଟୱାର୍କ ସମସ୍ୟାରୁ ପେମେଣ୍ଟ ଫେଲ୍ ହେବାର ସମସ୍ୟାକୁ ଦୂର କରିବା ପାଇଁ ଇ-ମ୍ୟାଣ୍ଡେଟ୍ ନିୟମରେ କୋହଳ କରାଯାଇଛି।ନୂଆ ନିୟମ ଅନୁଯାୟୀ, ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ପେମେଣ୍ଟ ପାଇଁ ଆଉ ପ୍ରତିଥର OTP କିମ୍ବା ପାସୱାର୍ଡ ଦେବାକୁ ପଡ଼ିବ ନାହିଁ।
ଯଦି ଗ୍ରାହକ ପୂର୍ବରୁ ମ୍ୟାଣ୍ଡେଟ୍ ରେଜିଷ୍ଟ୍ରେସନ୍ କରିଥାନ୍ତି, ତେବେ ନିର୍ଦ୍ଧାରିତ ତାରିଖରେ ଟଙ୍କା ଆପେ ଆପେ ଆକାଉଣ୍ଟରୁ କଟିଯିବ।ଏହାସହ ମ୍ୟୁଚୁଆଲ୍ ଫଣ୍ଡ SIP, ବୀମା ପ୍ରିମିୟମ୍ ଓ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଭଳି ଜରୁରୀ କାର୍ଯ୍ୟ ପାଇଁ ଏହି ସୀମାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଛି। ଏହାର ଅର୍ଥ ହେଉଛି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ୍ ପାଇଁ ଆଉ OTP ଦରକାର ପଡ଼ିବ ନାହିଁ।ନୂଆ ବ୍ୟବସ୍ଥାରେ କାର୍ଡ ବଦଳିଲେ ମଧ୍ୟ ଇ-ମ୍ୟାଣ୍ଡେଟ୍ ବନ୍ଦ ହେବ ନାହିଁ। ପୂର୍ବରୁ କାର୍ଡ ହଜିଯିବା କିମ୍ବା ଏକ୍ସପାୟାର୍ ହେଲେ ସମସ୍ତ ଅଟୋ ପେମେଣ୍ଟ ବନ୍ଦ ହୋଇଯାଉଥିଲା, କିନ୍ତୁ ଏବେ ସେଗୁଡ଼ିକ ଆପେ ଆପେ ନୂଆ କାର୍ଡକୁ ଟ୍ରାନ୍ସଫର ହୋଇଯିବ।
ଏହି ପଦକ୍ଷେପ ଫଳରେ OTP ସମସ୍ୟା ଯୋଗୁଁ ପେମେଣ୍ଟ ଫେଲ୍ ହେବାର ଭୟ କମିବ ଓ ସେବା ବାଧାପ୍ରାପ୍ତ ହେବ ନାହିଁ। ସମୟରେ ବିଲ୍ ପେମେଣ୍ଟ ହେବାରୁ ଜରିମାନା ଦେବାରୁ ମଧ୍ୟ ମୁକ୍ତି ମିଳିବ। ନିବେଶକମାନଙ୍କ ପାଇଁ SIP ପେମେଣ୍ଟ ମଧ୍ୟ ସହଜ ହେବ।ଡିଜିଟାଲ୍ ଦେଣନେଣକୁ ଆହୁରି ସୁଗମ କରିବା ଓ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆର୍ବିଆଇର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।

