ନ୍ୟୁଜ ଡେକ୍ସ : ଭାରତ ଆସନ୍ତା ମାସ ପ୍ରାରମ୍ଭରେ ରୁଷଠାରୁ S-400 ଟ୍ରାୟମ୍ଫ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ଚତୁର୍ଥ ୟୁନିଟ୍ ପାଇବାକୁ ଯାଉଛି। ଏହା ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।ଅକ୍ଟୋବର ୨୦୧୮ରେ ଭାରତ ରୁଷ ସହିତ ୫ ବିଲିୟନ ଆମେରିକୀୟ ଡଲାରର ଚୁକ୍ତି ସ୍ୱାକ୍ଷର କରି ୫ଟି S-400 ୟୁନିଟ୍ କ୍ରୟ କରିଥିଲା। ଏପର୍ଯ୍ୟନ୍ତ ୩ଟି ୟୁନିଟ୍ ଭାରତକୁ ଯୋଗାଇ ଦିଆଯାଇଛି।
ସଂଶୋଧିତ ସମୟସୀମା ଅନୁଯାୟୀ, ପଞ୍ଚମ ଏବଂ ଶେଷ ୟୁନିଟ୍ ଏହି ବର୍ଷ ନଭେମ୍ବର ସୁଦ୍ଧା ମିଳିବ ବୋଲି ସୂତ୍ରରୁ ଜଣାପଡ଼ିଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭାରତୀୟ ବାୟୁସେନାର ଅଧିକାରୀମାନେ ଚତୁର୍ଥ ୟୁନିଟ୍ର ପ୍ରି-ଡିସପ୍ୟାଚ୍ ନିରୀକ୍ଷଣ କରିବା ପରେ ଏହାକୁ ଭାରତ ପଠାଯାଇଛି। ଏହି ପ୍ରଣାଳୀକୁ ପାକିସ୍ତାନ ସୀମା ନିକଟରେ ରାଜସ୍ଥାନ ସେକ୍ଟରରେ ନିୟୋଜିତ କରାଯାଇପାରେ।ସୂଚନା ଅନୁସାରେ, ‘ଅପରେସନ ସିନ୍ଦୂର’ ସମୟରେ S-400 ପ୍ରଣାଳୀ ତାହାର ଘାତକ କ୍ଷମତା ପ୍ରମାଣ କରିଥିଲା। ଏହି ସମୟରେ ପାକିସ୍ତାନ ବିରୋଧରେ ଦୂରପାଳିଆ ମିସାଇଲ ବ୍ୟବହାର କରି ଶତ୍ରୁ ଦେଶର ଲଢ଼ୁଆ ବିମାନ, AWACS ଏବଂ ପରିବହନ ବିମାନକୁ ଟାର୍ଗେଟ କରାଯାଇଥିଲା।
ପାକିସ୍ତାନ ମଧ୍ୟ ଭାରତର S-400 ସିଷ୍ଟମକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ବିଫଳ ହୋଇଥିଲା।ଏହା ସହିତ ଭାରତ ରୁଷଠାରୁ ଆଉ ୫ଟି S-400 ୟୁନିଟ୍ କ୍ରୟ ପାଇଁ ମଞ୍ଜୁରି ଦେଇଛି, ଯାହା ଦ୍ୱାରା ମୋଟ ସଂଖ୍ୟା ୧୦କୁ ବୃଦ୍ଧି ପାଇବ। ଏହି ନୂତନ ୟୁନିଟ୍ମାନେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ।ଅନ୍ୟପଟେ, ଆମେରିକା ପୂର୍ବରୁ CAATSA ଆଇନ ଅନୁଯାୟୀ ପ୍ରତିବନ୍ଧକର ସତର୍କତା ଜାରି କରିଥିଲେ ମଧ୍ୟ, ଭାରତ ଏହାକୁ ଅଗ୍ରାହ୍ୟ କରି ଚୁକ୍ତିକୁ ଅଗ୍ରସର କରିଥିଲା। ସୂତ୍ର ଅନୁଯାୟୀ, ନୂତନ କ୍ରୟ ପୂର୍ବ ଚୁକ୍ତିର ଅନୁସରଣ ହେବାରୁ କୌଣସି ପ୍ରତିବନ୍ଧକ ଆସିବା ସମ୍ଭାବନା କମ୍ ଅଛି।

