Wed. Jun 17th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସମ୍ମୁଖୀନ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ସ୍ପଷ୍ଟ ଭାବେ ନାକୋଚ କରିଛନ୍ତି। ଏହା ପରେ ରାଜ୍ୟରେ ରାଜନୈତିକ ପରିସ୍ଥିତି ତୀବ୍ର ରୂପ ନେଇଛି।ଏପରି ସ୍ଥିତିରେ ନିର୍ବାଚନ କମିଶନ ନୂତନ ବିଧାନସଭା ଗଠନ ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ସହିତ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଶେଷ ହୋଇଥିବା ଘୋଷଣା ହୋଇଛି।

ଏହା ସହିତ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ପଥ ପ୍ରଶସ୍ତ ହୋଇଛି।ନିର୍ବାଚନ କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଫଳାଫଳ ଘୋଷଣା ପରେ ବିଧାନସଭା ଗଠନ ପାଇଁ ବିଜ୍ଞପ୍ତି ଜାରି କରିବା ସାମ୍ବିଧାନିକ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସରକାର ଗଠନ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।ସେ ଆହୁରି କହିଛନ୍ତି ଯେ, ଭୋଟିଂ ଠାରୁ ଗଣନା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ସ୍ୱଚ୍ଛ, ନିରପେକ୍ଷ ଏବଂ ନୀତିନିୟମ ଅନୁଯାୟୀ ପରିଚାଳିତ ହୋଇଥିଲା। ଏହି ବିଜ୍ଞପ୍ତି ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଓ ନୂତନ ସରକାର ଗଠନକୁ ସହଜ କରିବ।

ଏପରିବେଳେ, ମମତା ବାନାର୍ଜୀ ନିର୍ବାଚନ ଫଳାଫଳକୁ ଅସ୍ୱୀକାର କରି ଜାଲିଆତି ଓ ‘ଭୋଟ୍ ଚୋରି’ ଅଭିଯୋଗ ଉଠାଇଛନ୍ତି। ସେ କହିଛନ୍ତି, ଏହି ଫଳାଫଳ ପ୍ରକୃତ ଜନାଦେଶକୁ ପ୍ରତିଫଳିତ କରୁନାହିଁ ଏବଂ ଏହା ଅନିୟମିତତାର ପରିଣାମ। ଏହି କାରଣରୁ ସେ ଇସ୍ତଫା ଦେବା ପାଇଁ ରାଜଭବନକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ଏହି ପରିସ୍ଥିତିରେ ପଶ୍ଚିମବଙ୍ଗର ରାଜନୀତି ଏବେ ନୂତନ ମୋଡ଼ ନେଇଥିବା ବେଳେ, ଆଗାମୀ ଦିନରେ ସରକାର ଗଠନ ପ୍ରକ୍ରିୟା କିପରି ଆଗେଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *