Fri. Jun 5th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ନେତୃତ୍ୱରେ ଟିଭିକେ ସରକାର ଗଠନ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ଦୀର୍ଘ ୫୫ ବର୍ଷ ପରେ ରାଜ୍ୟରେ ପୁଣିଥରେ କ୍ଷମତାର ଅଂଶୀଦାର ହୋଇଛି। ବିଧାନସଭା ନିର୍ବାଚନରେ ଝୁଲା ଜନାଦେଶ ପରେ ହୋଇଥିବା କ୍ଷମତା ବଣ୍ଟନ ଚୁକ୍ତି ଅନୁଯାୟୀ ଟିଭିକେ ପକ୍ଷରୁ କଂଗ୍ରେସକୁ ଦୁଇଟି ମନ୍ତ୍ରୀ ପଦ ଆବଣ୍ଟନ କରାଯାଇଛି।

ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ବିଜୟ ତାମିଲନାଡୁର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜୟଙ୍କ ସହ ୯ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ।ବିଜୟଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେ ଦଳ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ହେଲେ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ଆସନଠାରୁ ଦଳ ୧୦ ଆସନ କମ୍ ପାଇଥିଲା। ଏହାପରେ ବିଜୟ କଂଗ୍ରେସ ଓ ଅନ୍ୟ ସମାନ ଚିନ୍ତାଧାରାର ଦଳମାନଙ୍କ ସମର୍ଥନ ନେଇ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି। ଡିଏମକେ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ଅଧୀନରେ ଲଢ଼ିଥିବା କଂଗ୍ରେସ ୨୮ଟି ଆସନରୁ କେବଳ ୫ଟିରେ ବିଜୟୀ ହୋଇଥିଲା।

କମ୍ ଆସନ ଜିତିଥିଲେ ମଧ୍ୟ ଦଳର କେନ୍ଦ୍ରୀୟ ନେତୃତ୍ୱ ନୂଆଦିଲ୍ଲୀରେ ହୋଇଥିବା ଏକାଧିକ ବୈଠକ ପରେ ଟିଭିକେକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାସହ ସିପିଆଇ, ସିପିଆଇ(ଏମ୍), ଆଇୟୁଏମଏଲ ଓ ଭିସିକେ ଭଳି ଦଳମାନେ ମଧ୍ୟ ବିଜୟଙ୍କୁ ସମର୍ଥନ କରିଥିଲେ। ଫଳରେ ଟିଭିକେ ସହଜରେ ବହୁମତ ହାସଲ କରି ସରକାର ଗଠନ ପାଇଁ ଦାବି କରିପାରିଥିଲା।ତାମିଲନାଡୁରେ କଂଗ୍ରେସର ମନ୍ତ୍ରିମଣ୍ଡଳକୁ ଫେରା ରାଜନୈତିକ ଦୃଷ୍ଟିରୁ ଏକ ବଡ଼ ଘଟଣା ଭାବେ ଦେଖାଯାଉଛି।

ଦଶକ ଧରି ଡିଏମକେର ସହଯୋଗୀ ହୋଇଥିଲେ ମଧ୍ୟ କଂଗ୍ରେସକୁ ମନ୍ତ୍ରୀ ପଦ ମିଳୁନଥିଲା। ୨୦୦୬ ମସିହାରେ ଡିଏମକେ କଂଗ୍ରେସର ସମର୍ଥନରେ ସରକାର ଗଠନ କରିଥିଲେ ମଧ୍ୟ କଂଗ୍ରେସକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନଥିଲା। ଏଭଳି ପରିସ୍ଥିତିରେ ୫୫ ବର୍ଷ ପରେ ତାମିଲନାଡୁରେ କଂଗ୍ରେସର ପୁଣିଥରେ କ୍ଷମତାର ଅଂଶୀଦାର ହେବାକୁ ଦଳ ପାଇଁ ଏକ ବଡ଼ ରାଜନୈତିକ ସଫଳତା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *