ନ୍ୟୁଜ ଡେକ୍ସ : ରାଜ୍ୟରେ ମୋହନ ଚରଣ ମାଝୀ ନେତୃତ୍ୱାଧୀନ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁଥିବା ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସରକାର ପକ୍ଷରୁ ନିମନ୍ତ୍ରଣ ଜଣାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ଦୁଇ ବର୍ଷର ସଫଳତାକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଓଡ଼ିଶା ଗସ୍ତକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ତେବେ ଏଥର ପୂର୍ତ୍ତି ଉତ୍ସବକୁ ସରଳ ଓ ସଂଯମପୂର୍ଣ୍ଣ ଭାବେ ପାଳନ କରାଯିବାକୁ ସରକାର ଯୋଜନା କରିଛନ୍ତି। ବର୍ତ୍ତମାନ ସରକାର ଖର୍ଚ୍ଚ କମାଇବା ଓ ଆର୍ଥିକ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିବାରୁ କାର୍ଯ୍ୟକ୍ରମକୁ ନିରାଡମ୍ବର ଭାବେ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।
ଗତବର୍ଷ ଜୁନ୍ ୨୦ ତାରିଖରେ ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ କରିଥିଲେ। ସେତେବେଳେ ସେ ପ୍ରାୟ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥରର ସମ୍ଭାବ୍ୟ ଗସ୍ତକୁ ନେଇ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ଜୋର ଧରିଛି।

