Thu. Jun 4th, 2026

ନ୍ୟୁଜ ଡେକ୍ସ : ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଅରାଗାମର ଖାନଜପଥରି ଅଞ୍ଚଳରେ ଚାଲିଥିବା ମିଳିତ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଏକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛନ୍ତି। ଏହାସହ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ରାସନ ସାମଗ୍ରୀ ଓ ବ୍ୟବହୃତ ଉପକରଣ ଜବତ କରାଯାଇଛି।

ସେନା, ବାନ୍ଦିପୋରା ପୋଲିସ ଏବଂ ସିଆରପିଏଫ ପକ୍ଷରୁ ମେ ୧୪ରୁ ୧୫ ତାରିଖ ପର୍ଯ୍ୟନ୍ତ ‘ସନ୍ଧାନ ଏବଂ ନଷ୍ଟ ଅଭିଯାନ’ ଚଳାଯାଇଥିଲା। ଏହି ଅଭିଯାନ ସମୟରେ ଜଙ୍ଗଲ ଅଞ୍ଚଳରେ ଥିବା ପ୍ରାକୃତିକ ଗୁମ୍ଫାଗୁଡ଼ିକୁ ସୁରକ୍ଷା ବାହିନୀ ତଲାଶି କରିଥିଲେ। ଅଭିଯାନ ଦରମିଆନ ଆତଙ୍କବାଦୀମାନେ ଗୁମ୍ଫା ଭିତରେ ଲୁଚି ରହିଥିବା ସନ୍ଦେହରେ ପ୍ରଥମେ ଷ୍ଟନ୍ ଗ୍ରେନେଡ୍ ମାଡ଼ କରାଯାଇଥିଲା। ପରେ ଭିତରେ କୌଣସି ଆତଙ୍କବାଦୀ ନଥିବା ନିଶ୍ଚିତ ହେବା ପରେ ସୁରକ୍ଷା ବାହିନୀ ଗୁମ୍ଫା ଭିତରକୁ ପ୍ରବେଶ କରି ସମ୍ପୂର୍ଣ୍ଣ ତଲାଶି କରିଥିଲେ।ତଲାଶି ବେଳେ ସେଠାରୁ ଆତଙ୍କବାଦୀମାନଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମିଳିଥିଲା। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଗୋଳାବାରୁଦ ସହିତ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ମଧ୍ୟ ରହିଛି। ସୁରକ୍ଷା ବାହିନୀ ୧ଟି AK-୪୭ ମାଗାଜିନ୍ ଓ ୨୨ଟି କାର୍ଟ୍ରିଜ୍ ଜବତ କରିଛନ୍ତି।

ଏହାସହ ପୋଷାକ ଓ ବିଛଣା ସାମଗ୍ରୀ ଭିତରେ ୩ ଯୋଡ଼ା ଜୋତା, ୨ଟି ଫେରାନ୍, ୨ଟି ସ୍ୱେଟର, ୧ଟି ସ୍ଲିପିଂ ବ୍ୟାଗ୍, ୩ଟି କମ୍ବଳ, ୧ଟି ଗଦି, ଚାଦର ଓ ଏକ ରେନକୋଟ୍ ମିଳିଛି। ଇଲେକ୍ଟ୍ରୋନିକ୍ ସାମଗ୍ରୀ ମଧ୍ୟରେ ପୁରୁଣା ହେଡଫୋନ୍, ପାୱାର ବ୍ୟାଙ୍କ, ସୌର ପ୍ୟାନେଲ୍, ମୋବାଇଲ୍ ଚାର୍ଜର, ପୁରୁଣା FM ରେଡିଓ ଓ ପେନସିଲ୍ ସେଲ୍ ଜବତ କରାଯାଇଛି।ବାସନକୁସନ ଭିତରେ ୨ଟି ରନ୍ଧନ ଗ୍ୟାସ୍ ସିଲିଣ୍ଡର, ଖାଇବା ପାତ୍ର, ଷ୍ଟିଲ୍ ପ୍ଲେଟ୍, ଚାମଚ ଓ ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ମଧ୍ୟ ମିଳିଛି। ରାସନ୍ ସାମଗ୍ରୀ ଭାବେ ମ୍ୟାଗି, ସୁପ୍ ପ୍ୟାକେଟ୍, ଶୁଖିଲା ଫଳ, ବିସ୍କୁଟ୍, ଚଣା, ଚାଉଳ, ଲଙ୍କା ଓ କିଛି ସାଧାରଣ ଔଷଧ ମଧ୍ୟ ଉଦ୍ଧାର କରାଯାଇଛି।

ଅଧିକାରୀମାନଙ୍କ କହିବା ଅନୁଯାୟୀ, ଉତ୍ତର କାଶ୍ମୀରର ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳକୁ ଆତଙ୍କବାଦୀମାନେ ଲୁଚି ରହିବା ସହ ଯୋଗାଣ ସଂଗ୍ରହ କରିବା ପାଇଁ ବ୍ୟବହାର କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି। ସୁରକ୍ଷା ବାହିନୀ ଏପରି ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ଏହି ସମସ୍ତ ଜଙ୍ଗଲ ଅଞ୍ଚଳରେ ନିରନ୍ତର ନଜର ରଖିଛନ୍ତି।ଏହି ଅଭିଯାନକୁ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି ମନାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବଡ଼ ଧକ୍କା ଲାଗିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *